ସର୍ବଭାରତୀୟ ନାଟ୍ୟପରିଷଦର ଜାତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ।

Spread the love

ବ୍ରହ୍ମପୁର-(ପିବିନ୍ୟୂଜ୍)-ଆସନ୍ତା ସେପ୍ଟେମ୍ବର ମାସ 9 ଓ 10 ଦୁଇଦିନ ଧରି ବ୍ରହ୍ମପୁର ସହରର ଆଇଟିଆଇ ଅଡିଟରିୟମ ରେ ସର୍ବଭାରତୀୟ ନାଟ୍ୟପରିଷଦର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏନେଇ ରବିବାର ଏକ ପ୍ରସ୍ତୁତି ବୈଠକ ସର୍ବଭାରତୀୟ ନାଟ୍ୟପରିଷଦର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଜଗୋପାଳ ପାଢ଼ୀଙ୍କ ଅଧକ୍ଷତାରେ ବ୍ରହ୍ମପୁର ରେଳଷ୍ଟେସନ ନିକଟସ୍ଥ ହୋଟେଲ କାମେଶ୍ୱରୀ ରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସ୍ତରର ଏହି ସମ୍ମିଳନୀରେ ସହଯୋଗ ପାଇଁ ବ୍ରହ୍ମପୁର ସହରର ବଛା ବଛା ନାଟ୍ୟ ସଂଗଠକ ଓ କଳାପ୍ରେମୀଙ୍କୁ ପ୍ରସ୍ତୁତି ବୈଠକକୁ ନିମନ୍ତ୍ରଣ କରାଯାଇ ସମ୍ମିଳନୀକୁ ସଫଳ କରିବା ପାଇଁ ସହଯୋଗ ଲୋଡ଼ା ଯାଇଥିଲା । ଦୁଇଦିନିଆ ଜାତୀୟ ସମ୍ମିଳନୀ ପାଇଁ ଭାରତବର୍ଷର ପ୍ରାୟ 17 ରୁ ଉର୍ଦ୍ଧ୍ବ ରାଜ୍ୟର ଜାତୀୟ ସ୍ତରର ନାଟ୍ୟ ପ୍ରତିଭା ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରୀୟ କମିଟି ସଦସ୍ୟଙ୍କ ସହ ଗଂଜାମ ଜିଲ୍ଲାର ପ୍ରତିଷ୍ଠିତ କଳା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ଓ ରାଷ୍ଟ୍ରୀୟ କମିଟିର ନବନିର୍ବାଚିତ ସଦସ୍ୟଙ୍କ ପ୍ରଥମ ବୈଠକ କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଅନୁଷ୍ଠିତ ହେବ । ଦ୍ଵିତୀୟ ଦିବସରେ କଳାକାର ମାନଙ୍କ ଶୋଭାଯାତ୍ରା ସହ ଆଞ୍ଚଳିକ କଳାକାରଙ୍କ କଳା ପ୍ରଦର୍ଶନ ଓ ରାଷ୍ଟ୍ରୀୟ କଳାପରିଷଦ ଓଡିଶା ଶାଖାର ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ପ୍ରସ୍ତୁତି ବୈଠକରେ ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ । ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ ପାତ୍ର,ପର୍ଯ୍ୟଟନ ଭାରତର ସମ୍ପାଦକ ନାରାୟଣ ମହାଙ୍କୁଡ଼,ନାଟ୍ୟ ସଂଗଠକ ଭବାନୀ ଶଙ୍କର ମିଶ୍ର,ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ କେ.କୃଷ୍ଣମୂର୍ତ୍ତି, ଓଡିଶା ନାଟ୍ୟସଂଘର ଉପସଭାପତି ମନୋଜ ଦଣ୍ଡପାଟ,ଇଶା ଭିଜନର ପରିଚାଳନା ନିର୍ଦ୍ଦେଶକ ସନ୍ୟାସୀ ମହାରଣା, କଳା ସଂଗଠକ ଡ଼. ମିହୀର ତ୍ରିପାଠୀ, ନାଟ୍ୟ ନିର୍ଦ୍ଦେଶକ ଟୁଟୁ ପାଢ଼ୀ,ବରିଷ୍ଠ ସାମ୍ବାଦିକ ଓ କଳାକାର ସୁଦୀପ ସାହୁ,କୈଳାସ ପାଣିଗ୍ରାହୀ, ସୁନୀଲ ସ୍ୱାଇଁ,ସିଏଚ.ଦେବଦାସ,ଆରତୀ ପାତ୍ର ଓ ପଦ୍ମିନୀ ମିଶ୍ର ପ୍ରମୁଖ ପ୍ରସ୍ତୁତି ବୈଠକରେ ଯୋଗଦେଇ ସବୁପ୍ରକାର ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ଓ ସଙ୍ଗୀତ ହେଉଥିବା ବେଳେ ଯେକୌଣସି ଗୋଟିଏ ଦିନ ନାଟକ ଟିଏ କରିବା ନେଇ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଲ ପାତ୍ର ପ୍ରସ୍ତାବ ଦେବା ସହ ତାର ଦାୟିତ୍ୱ ବହନ କରିଥିଲେ ।ଶେଷରେ ନାରାୟଣ ମହାଙ୍କୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *