ବିକାଶମେଳା ମଣ୍ଡପରେ ‘ପ୍ରହ୍ଲାଦନାଟକ’ ପ୍ରଦର୍ଶନ ଓ ପରିଶୀଳନ କର୍ମଶାଳା

Spread the love

ବିକାଶମେଳା ମଣ୍ଡପରେ ‘ପ୍ରହ୍ଲାଦନାଟକ’
ପ୍ରଦର୍ଶନ ଓ ପରିଶୀଳନ କର୍ମଶାଳା

ବ୍ରହ୍ମପୁର, (ପିବିନୀଉଜ୍) ଗଞ୍ଜାମ ଜିଲ୍ଲା ଲୋକନାଟ୍ୟ ପରମ୍ପରାରେ ‘ପ୍ରହ୍ଲାଦନାଟକ’ ବା ‘ରଜାନାଟକ’ ଏକ ଲୋକପ୍ରିୟ ପ୍ରଦର୍ଶନଶୀଳ କଳା ରୂପେ ସ୍ବୀକୃତିଲାଭ କରିଛି l ଜଳନ୍ତରଗଡ଼ ଏହି ଲୋକନାଟକର ଏନ୍ତୁଡ଼ିଶାଳ l ଜଳନ୍ତର ରାଜା ରାମକୃଷ୍ଣ ଛୋଟରାୟ ‘ପ୍ରହ୍ଲାଦନାଟକ’ର ଆଦିସ୍ରଷ୍ଟା ଏବଂ ପରବର୍ତ୍ତୀ ସମୟରେ ଏକାଧିକ ରଚୟିତା ପ୍ରହ୍ଲାଦନାଟକ ରଚନା କରିଥିଲେ l ପ୍ରହ୍ଲାଦନାଟକ ଅନୁରୂପ ଆନ୍ଧ୍ରପ୍ରଦେଶରେ ଅନ୍ୟ ଏକ ଲୋକନାଟ୍ୟ ପ୍ରଦର୍ଶିତ ହେଉଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାର ‘ପ୍ରହ୍ଲାଦନାଟକ’ ସର୍ବପ୍ରାଚୀନ ଏବଂ ଏହା ଏକ ମୌଳିକ ଲୋକନାଟ୍ୟଶୈଳୀ ବୋଲି ଗଞ୍ଜାମ ଜିଲ୍ଲା ବିକାଶ ମଣ୍ଡପରେ ଅନୁଷ୍ଠିତ କର୍ମଶାଳାରେ ମତପ୍ରକାଶ ପାଇଛି l
ଆଜି ପୂର୍ବାହ୍ଣରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ସପ୍ତାହ ବ୍ୟାପୀ ଆୟୋଜିତ ବିକାଶମେଳା ମଣ୍ଡପରେ ‘ଗଞ୍ଜାମ ଜିଲ୍ଲାର ପ୍ରହ୍ଲାଦନାଟକ’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କର୍ମଶାଳାରେ ପ୍ରବୀଣ ଗବେଷକ ଓ ସମାଲୋଚକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ପ୍ରହ୍ଲାଦନାଟକ ଗୁରୁ ଓ ସେମାନଙ୍କ ଦଳ ଅଂଶଗ୍ରହଣ କରିଥିଲେ l ମଞ୍ଚରେ ‘ପ୍ରହ୍ଲାଦନାଟକ’ର କେତେକ ମୁଖ୍ୟ ଅଂଶ ପ୍ରଦର୍ଶନ ପୂର୍ବକ ଏହି ଲୋକନାଟକର ବିଭିନ୍ନ ବିନ୍ଦୁ ସଂପର୍କରେ ସବିଶେଷ ପରିଶୀଳନ କରାଯାଇଥିଲା l ପ୍ରଶ୍ନୋତ୍ତର ମାଧ୍ୟମରେ ପ୍ରହ୍ଲାଦନାଟକର ସୃଷ୍ଟି, ଏହାର ଚରିତ୍ର ସମୂହ, ସମ୍ଭ୍ରାନ୍ତ ବେଶ ପରିପାଟୀ ଓ ବୀରରସର ପ୍ରାବଲ୍ୟ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରାଯାଇଥିଲା l
ଜିଲ୍ଲା ସଂସ୍କୃତି, ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ଗଞ୍ଜାମ ଲୋକନାଟ୍ୟ ପ୍ରକଳ୍ପର ଆବାହକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ବିଶିଷ୍ଟ ଗଞ୍ଜାମ ଇତିହାସର ଗବେଷକ ଡ. ଅନନ୍ତରାମ କର ପୌରୋହିତ୍ୟ କରି ଲୋକକଳା ରଜା ନାଟର ବିଶେଷତ୍ଵ ସମ୍ପର୍କରେ ମତ ରଖିଥିଲେ l ବିଶିଷ୍ଟ ଗବେଷକ ଓ ସାହିତ୍ୟ ସମାଲୋଚକ ଡ. ସୁବ୍ରତ କୁମାର ପୃଷ୍ଟି ବିଷୟ ବିଶାରଦ ରୂପେ ଯୋଗଦେଇଥିବା ବେଳେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ, ଗଞ୍ଜାମ ଇତିହାସର ଗବେଷକ ଡ. ଅନନ୍ତରାମ କର (କୌଣ୍ଡିନ୍ୟ), ଲୋକ ସଂସ୍କୃତି ଗବେଷକ ଡ. ବାୟାମନୁ ଚର୍ଚ୍ଚି, ସଂସ୍କୃତି ବିଭାଗ ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନିଶଙ୍କ, ନାଟ୍ୟ ନିର୍ଦ୍ଦେଶକ ରାଜୁ ପାଢ଼ୀ, ସାହିତ୍ୟ ସମାଲୋଚକ ଡ. କୁଳମଣି ଓଝା ଓ ସମାଲୋଚକ ଡ. ହୃଷୀକେଶ ପଣ୍ଡା ପ୍ରମୁଖ ଏହି କର୍ମଶାଳାରେ ଆଲୋଚକ ରୂପେ ଯୋଗ ଦେଇଥିଲେ l ଡ. ହୃଷୀକେଶ ପଣ୍ଡା ଏହି କର୍ମଶାଳାର ରାପୋର୍ଟିଅର୍ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ l
ଉକ୍ତ କର୍ମଶାଳାରେ ନିଖିଳ ଓଡ଼ିଶା ପ୍ରହ୍ଲାଦ ନାଟକ ସଂଘର ସଭାପତି ପଙ୍କଜ ନୟନ ମିଶ୍ର, ସଂପାଦକ ଗୋକୁଳାନନ୍ଦ ପ୍ରଧାନ, କେ. କରଡ଼ାଗଣା ପ୍ରହ୍ଲାଦନାଟକ ଦଳର ଗୁରୁ ବିନାୟକ ମିଶ୍ର, ଭଞ୍ଜନଗର ନୁଦୁନୁଦି ପ୍ରହ୍ଲାଦନାଟକ ଦଳ ଗୁରୁ କାହ୍ନୁଚରଣ ଷଡ଼ଙ୍ଗୀ, ସାନଖେମୁଣ୍ଡି ସାହସପୁର ପ୍ରହ୍ଲାଦନାଟକ ଦଳ ଓ
ନୀରଦ କୁମାର ଖୁଣ୍ଟିଆ ପ୍ରମୁଖ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ l
ରାଜ୍ୟ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ମାର୍ଗଦର୍ଶନରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା l

Leave a Reply

Your email address will not be published. Required fields are marked *