ଅଳ୍ପରେ ପ୍ରେମ’ ପ୍ରାୟୋଜିତ ରଜମଉଜ ବ୍ରହ୍ମପୁରରେ ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ କରିଛି : କଲ୍ୟାଣୀ

Spread the love

—————————————————–
ଅଳ୍ପରେ ପ୍ରେମ’ ପ୍ରାୟୋଜିତ ରଜମଉଜ ବ୍ରହ୍ମପୁରରେ
ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ କରିଛି : କଲ୍ୟାଣୀ
—————————————————-
ବ୍ରହ୍ମପୁର, (ପିବିନିଇଜ୍)ରଜପର୍ବ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ବାହକ l ଏହି ପର୍ବ ଏକ ଗଣପର୍ବ ; ପ୍ରକୃତି ଓ କୃଷି ସହିତ ସଂପର୍କିତ l ବିଗତ ଦଶ ବର୍ଷ ଧରି ‘ଅଳ୍ପରେ ପ୍ରେମ’ ପକ୍ଷରୁ ବ୍ରହ୍ମପୁରରେ ରଜମଉଜ ଉତ୍ସବ ଆୟୋଜନ କରାଯାଇ ଆସୁଅଛି ଏବଂ ଏହି ଉତ୍ସବ ବ୍ରହ୍ମପୁର ମହାନଗରାଞ୍ଚଳରେ ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ କରିଛି ବୋଲି ବ୍ରହ୍ମପୁର ପୌର ମହାନଗର ନିଗମ ଉପ-ଆଯୁକ୍ତ କଲ୍ୟାଣୀ ସଂଘମିତ୍ରା ମତବ୍ୟକ୍ତ କରିଛନ୍ତି l
ମିନି ସାହିତ୍ୟ ପତ୍ରିକା ‘ଅଳ୍ପରେ ପ୍ରେମ’ ପକ୍ଷରୁ ଉତ୍କଳ ଆଶ୍ରମ ରୋଡ୍ ଅଭିନନ୍ଦନ ମଣ୍ଡପରେ ‘ରଜ ମଉଜ : ୨0୨୫’ ଏକ ବର୍ଣ୍ଣାଢ୍ୟ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଆବାହିକା ସ୍ବର୍ଣ୍ଣପ୍ରଭା ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲ୍ୟାଣୀ ସଂଘମିତ୍ରା ମୁଖ୍ୟଅତିଥି, ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନା ମଞ୍ଚ ଉଦ୍ଘୋଷିକା ସୁଦୀପ୍ତା ପାଣିଗ୍ରାହୀ ଓ ବିଶିଷ୍ଟ ନାଟ୍ୟକାର ଡା. ତିରୁପତି ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରଜପର୍ବର ସାମାଜିକ ମହତ୍ତ୍ୱ ଓ ଆଧ୍ୟାତ୍ମିକ ମାହାତ୍ମ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l
ପ୍ରାରମ୍ଭରେ ଉପଦେଷ୍ଟା ଡ. କୁଳମଣି ଓଝା ଜଗନ୍ନାଥାଷ୍ଟକ ଆବୃତ୍ତି କରିବା ସହିତ ରଜପର୍ବ ପାଳନର ପୌରାଣିକ ଆଧାର, ସାଂସ୍କୃତିକ ଭିତ୍ତି ଓ ଧର୍ମୀୟ ଦିଗ ସଂପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ନୃତ୍ୟ ପଟ୍ଟିୟସୀ କିଶୋରୀ ଜାହ୍ନବୀ ପଣ୍ଡାଙ୍କୁ ଚଳିତ ବର୍ଷର ‘ରଜ ସୁନ୍ଦରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏବଂ ଆମନ୍ତ୍ରିତ ଅତିଥିମାନଙ୍କ କରକମଳରେ ନଳିନୀକାନ୍ତ ଗୌଡ଼ଙ୍କ ଦ୍ୱାରା ସଂପାଦିତ ମିନି ସାହିତ୍ୟ ପତ୍ରିକା ‘ଅଳ୍ପରେ ପ୍ରେମ’ ପଞ୍ଚବିଂଶତମ ସଂଖ୍ୟାର ଭବ୍ୟ ଲୋକାର୍ପଣ କରାଯାଇଥିଲା l
ସଂପାଦକ ନଳିନୀକାନ୍ତ ଗୌଡ଼ଙ୍କ ସଂଚାଳନା ଓ ଡ. କୁଳମଣି ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ରଜମଉଜ ଉତ୍ସବରେ ପିଠାପର୍ବ ଓ ମଞ୍ଜୁଆତି ପର୍ବର ଆୟୋଜନ କରାଯାଇଥିଲା l ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ଶଙ୍ଖଧ୍ୱନି, ହୁଳହୁଳି, ଓଡ଼ିଆ ସଂଗୀତ, ଓଡ଼ିଆ ନୃତ୍ୟ ଓ ପାରମ୍ପରିକ ଫ୍ୟାସନ୍ ସୋ’ ଆଦି ପ୍ରତିଯୋଗିତାର ବରିଷ୍ଠ, କନିଷ୍ଠ ଓ ସର୍ବକନିଷ୍ଠ ବର୍ଗର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଅପରାହ୍ଣରେ ସ୍ବର୍ଣ୍ଣପ୍ରଭା ପାଢ଼ୀଙ୍କ ସଭାପତିତ୍ୱରେ ‘ରଜ, ପ୍ରେମ ଓ ବର୍ଷା’ ଶିରୋନାମାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l ଯୁବା ଅଧ୍ୟାପିକା ଗୀତାରାଣୀ ବିଷୋୟୀଙ୍କ ସଂଯୋଜନାରେ ସଂଚାଳିତ କବିତା ପାଠୋତ୍ସବରେ ୩୫ ବର୍ଷରୁ କମ୍ ବୟସର ୨0 ଜଣ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ବର୍ଷୀୟାନ୍ କବି ପ୍ରମୋଦ କୁମାର ପଣ୍ଡା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ l ରଜମଉଜ ଉତ୍ସବରେ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରର ପ୍ରାକ୍ତନ ମୁଖ୍ୟ ତଥା ଖ୍ୟାତିପ୍ରାପ୍ତ ମଞ୍ଚ ଉଦ୍ଘୋଷକ ହୃଷୀକେଶ ପାଣିଗ୍ରାହୀ, କବୟିତ୍ରୀ ମାଧୁରୀ ଅଧିକାରୀ, ରଞ୍ଜିତାରାଣୀ ଦାଶ, କଣ୍ଠଶିଳ୍ପୀ ସଂଗ୍ରାମ ପଟ୍ଟନାୟକ, ହିନ୍ଦୁସ୍ତାନୀ କଣ୍ଠ ସଂଗୀତ ଗୁରୁ ନାରାୟଣ ନାହାକ, ଫ୍ୟସନ୍ ସୋ’ ବିଚାରକ ପ୍ରଶାନ୍ତ କୁମାର ସାହୁ, ତବଲା ବାଦକ ଅଭୟେନ୍ଦୁ ଶେଖର ପଟ୍ଟନାୟକ, ସାଂସ୍କୃତିକ ସଂଗଠକ ମିହିର ରଞ୍ଜନ ପାଣିଗ୍ରାହୀ, ମଞ୍ଜୁଆତି ପ୍ରତିଯୋଗିତା ବିଚାରକ ବୁଲ୍ ବୁଲ୍ ବେହେରାଙ୍କ ସମେତ ସଂସ୍କୃତି ଅନୁରାଗୀ ବହୁ ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ବିଭାଗରେ ମାର୍ଗଦର୍ଶନ କରିଥିଲେ l ସହରର ଜଣାଶୁଣା ମ୍ୟାଜିସିଆନ୍ ଯାଦୁଗର କୁମାର କେତୋଟି ବୌଦ୍ଧିକତା ସଂପନ୍ନ ଯାଦୁଖେଳ ପ୍ରଦର୍ଶନ କରିଥିଲେ l
କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ କୁମାର ସାହୁ, ସନ୍ତୋଷ କୁମାର ଗୌଡ଼, ନରେନ୍ଦ୍ର କୁମାର ଆଚାର୍ଯ୍ୟ, ପ୍ରଭାତ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ଡ. କାହ୍ନୁଚରଣ ସାହୁ, ଯୋଗେଶ ଗୌଡ଼, ସୁଜିତ କୁମାର ସାମନ୍ତରାୟ, ଗୀତାରାଣୀ ସାହୁ, ଅନୀତା କୁମାରୀ ଯାଦବ, ରଶ୍ମିତା ଆଚାର୍ଯ୍ୟ, ରଂଜିତା ପାତ୍ର, ସଂହିତା ସାହୁ, ନନ୍ଦିନୀ ମିଶ୍ର, ଜାନକୀ ଗୌଡ଼, ମୌସୁମୀ ପ୍ରିୟଦର୍ଶିନୀ, ରୀତିକା ମହାପାତ୍ର ଓ ଈପ୍ସିତା ଆଚାର୍ଯ୍ୟ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ସଂଗୀତ ନିର୍ଦ୍ଦେଶକ ଏମ. ମାଧବ ପାତ୍ର ଓ ତବଲାବାଦକ ଚୈତନ୍ୟ କୁମାର ପାରମ୍ପରିକ ଓଡ଼ିଆ ଗୀତ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ l ଏଥିରେ କଣ୍ଠଶିଳ୍ପୀ ସୁଦୀପ ସାହୁ, ଡ. କୁଳମଣି ଓଝା, କଣ୍ଠଶିଳ୍ପୀ ମଧୁଛନ୍ଦା ପାଢ଼ୀ, ମିଷ୍ଟି ନାୟକ ପ୍ରମୁଖ ପାରମ୍ପରିକ ଓଡ଼ିଆ ଗୀତ ପରିବେଷଣ କରିଥିଲେ l ଶେଷରେ ନଳିନୀକାନ୍ତ ଗୌଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *