ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ସେମିନାର ହଲ୍ ରେ ସଦ୍ଭାବନା ଦିବସ ଅନୁଷ୍ଠିତ

Spread the love

ବ୍ରହ୍ମପୁର(ପିବିନ୍ୟୁଜ୍)ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ଅଗଷ୍ଟ ୨୦ ତାରିଖରେ ବିଭାଗର ସେମିନାର ହଲ୍ ରେ ସଦ୍ଭାବନା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ବକ୍ତା ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ ସହିତ ଉପସ୍ଥିତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ସଂକଳ୍ପ ନେଇଥିଲେ ଯେ ସମସ୍ତେ ଜାତି, ଧର୍ମ, ସମ୍ପ୍ରଦାୟ, ଅଞ୍ଚଳ ଅଥବା ଭାଷାଗତ ଭେଦଭାବ ମନରେ ନ ରଖି ସମସ୍ତ ଭାରତବାସୀଙ୍କ ମଧ୍ୟରେ ଭାବନାତ୍ମକ ଏକତା ଓ ସଦ୍ଭାବନା ବଜାୟ ରଖିବା ପାଇଁ କାର୍ଯ୍ୟ କରିବେ ତଥା କୌଣସି ହିଂସାର ଆଶ୍ରୟ ନ ନେଇ ସବୁ ପ୍ରକାର ମତଭେଦକୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବେ । ବିଭାଗର ସଂଯୋଜକ ଡ଼. ରାଜେଶ ସେଠ୍ ସାମାଜିକ ଓ ସାମ୍ପ୍ରଦାୟିକ ସଦ୍ଭାବନା କିପରି ଆମର ଜାତୀୟ ଆନ୍ଦୋଳନକୁ ଦୃଢିଭୂତ କରିଥିଲା ତା ଉପରେ ମନ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ଜୀବନୀ ଏବଂ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ ତଥା ଅଧ୍ୟାପକ ସଞ୍ଜୟ ମେହେର ତାଙ୍କ ଦ୍ୱାରା ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ତାଙ୍କର ଅବଦାନ ବାବଦରେ ବର୍ଣ୍ଣନା କରିଥିଲେ । ଡ଼. ସୌମେନ୍ଦ୍ର କୁମାର ମହାନ୍ତି ଦୃଢ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ସାମାଜିକ ଓ ସାମ୍ପ୍ରଦାୟିକ ସଦ୍ଭାବନା ତଥା ସହନଶୀଳତା ହେଉଛି ଆମ ସାମାଜିକ ଏବଂ ରାଜନୈତିକ ସଂସ୍କୃତିର ଅନ୍ତର୍ନିହିତ ମୂଲ୍ୟବୋଧ । ଏହି ଅବସରରେ ବିଭାଗ ଦ୍ୱାରା ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ସଫଳତା ଦାସ, ସ୍ନାତୋକତ୍ତର ଦ୍ୱିତୀୟ ବର୍ଷ ଛାତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *