ଆଦର୍ଶ ଶିଶୁ ବିଦ୍ୟା ମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ।

Spread the love


ବ୍ରହ୍ମପୁର- (ପିବିନ୍ୟୁଜ୍)ପବିତ୍ର ରଥଯାତ୍ରା ଅବସରରେ ପ୍ରତିଷ୍ଠା ହୋଇଥିବା ବ୍ରହ୍ମପୁର ସହର ନିକଟବର୍ତ୍ତୀ ଲାଠୀ ରାସ୍ତାରେ ଅବସ୍ଥିତ ଆଦର୍ଶ ଶିଶୁ ବିଦ୍ୟା ମନ୍ଦିର , ହାଉସିଙ୍ଗ୍ ବୋର୍ଡ ନୀଳକଣ୍ଠନଗରର ୨୫ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ୨୫ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ତ୍ରିନାଥ ମହାରାଣା ଯୋଗ ଦେଇ ନିଜ ବକ୍ତବ୍ୟରେ ନିଷ୍ଠାପର କର୍ତ୍ତବ୍ୟ ଓ ଆତ୍ମବିଶ୍ୱାସ ହିଁ ପ୍ରତେକଙ୍କୁ ସଫଳତାର ରୂପ ଦେଇଥାଏ ବୋଲି ମତବ୍ୟକ୍ତ କରିବା ସହିତ ଭାରତୀୟ ସଂସ୍କୃତିକୁ ବିଲୋପ କରିବାକୁ ବିଦେଶୀ ଭାଷା ପ୍ରୟାସ ସମୟରେ ଶିଶୁ ମନ୍ଦିର ଭଳି ଶିକ୍ଷାର ମନ୍ଦିର ହିଁ ଦେଶର ସଂସ୍କୃତିକୁ ସୁରକ୍ଷାର ପାଚେରୀ ଭାବରେ ଠିଆ ହୋଇଥିବା ପ୍ରକାଶ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଭାତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ, ଗତ ୨୦୦୦ ମସିହାର ଆଜିର ଦିନରେ କିପରି ଏହି ବିଦ୍ୟାଳୟ ଜନ୍ମ ନେଇ ଇତି ମଧ୍ୟରେ ଅନେକ ସମସ୍ୟା ମଧ୍ୟରେ ସଂଙ୍ଘର୍ଷ କରି ୨୫ ବର୍ଷ ଅତିକ୍ରମ କରିସାରିଛି ଏବଂ ତାର ଆଗାମୀ ଯାତ୍ରା ସହିତ ବିଦ୍ୟାଳୟ ପ୍ରତିଷ୍ଠାର ମୂଳ ଲକ୍ଷ୍ୟ ସହିତ ସ୍ୱାର୍ଥ ଠାରୁ ଦୂରରେ ରହି ଅନେକ କାର୍ଯ୍ୟ କରିଛନ୍ତି ତାହାକୁ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଇଟିଭି ଭାରତର ବରିଷ୍ଠ ସାମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ଯୋଗ ଦେଇ ନିଜ ବକ୍ତବ୍ୟରେ ପ୍ରତେକ ଶିଶୁକୁ ସମାଜରେ ପ୍ରତିଷ୍ଠିତ ନାଗରିକ ଭାବରେ ଗଢିତୋଳିବା କ୍ଷେତ୍ରରେ ବିଦ୍ୟାଳୟ ଏବଂ ସେମାନଙ୍କ ଶିକ୍ଷା ପ୍ରଦାନ କରୁଥିବା ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଏବଂ ପ୍ରତେକ ବିଦ୍ୟାର୍ଥୀ ନିଜର ଲକ୍ଷ୍ୟ ପୂରଣ ପାଇଁ ସମାଜରେ ଯେଉଁ କ୍ଷେତ୍ରରେ ନିଜର କାର୍ଯ୍ୟ ସମ୍ପାଦନା କରିବା ସମୟରେ କିପରି ପ୍ରତେକ ଅନ୍ୟଠାରୁ ଆଦର୍ଶ ହୋଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ବାଖ୍ୟା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ସ୍ଥାନୀୟ ଲାଠୀ ପଞ୍ଚାୟତର ସରପଞ୍ଚ ରାଧାନାଥ ସେଠୀ , ବରିଷ୍ଠ ଶିକ୍ଷାବିତ ସୀମାଞ୍ଚଳ ପତି , ବରିଷ୍ଠ ଆଇନଜୀବି ପି.କେ.ନାୟକ ଏବଂ ସ୍ଥାନୀୟ ସମାଜସେବୀ ରାମା ରାଓ ପ୍ରମୁଖ ମଞ୍ଚାସୀନ ରହିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟା ଶ୍ରୀମତି ପ୍ରମିଳା ଷଡଙ୍ଗୀ ମଞ୍ଚ ପରିଚାଳନା ବିଦ୍ୟାଳୟର ଆଚାର୍ଯ୍ୟ ନରସିଂହ ପଣ୍ଡିତ , ସଂଙ୍ଘମିତ୍ରା ପଟ୍ଟନାୟକ , ବୈଶାଖି ସାହୁ , ରୀନା ପଟ୍ଟନାୟକ , କିଶୋର ଚନ୍ଦ୍ର ପଟ୍ଟନାୟକ , ଇଲି ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ଅବସରରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାର୍ଥୀ ମାନେ ବେଦପାଠ ସହିତ ଜଗନ୍ନାଥ ଅଷ୍ଟକମ୍ ଉଚ୍ଚାରଣ ବେଶ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି କରିଥିବା ବେଳେ ପୂର୍ବରୁ ଆଯୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ଏବଂ ତାଙ୍କ ଅଭିଭାବକଙ୍କୁ ଅତିଥିଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାର୍ଥୀଙ୍କ ପକ୍ଷରୁ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *