ପିପଳପଙ୍କାରେ ଟାଟା କମ୍ପାନୀ ପାଇଁ ଡ୍ୟାମ୍ ନିର୍ମାଣ ବାତିଲ କରିବା ଦାବିରେ କିଶାନ୍ ମଜଦୂର ସଭା ପକ୍ଷରୁ ସୋରଡ଼ାରେ ଗଣବିକ୍ଷୋଭ ।

Spread the love

ସୋରଡ଼ା(ପିବିନ୍ୟୁଜ୍) ସୋରଡ଼ା ଠାରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ପକ୍ଷରୁ ଆଠ ଦଫା ଦାବି ନେଇ ଏକ ଗଣ ବିକ୍ଷୋଭ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଦଳିତ ଓ ଆଦିବାସୀଙ୍କ ସମେତ ଅନ୍ୟାନ୍ୟ ଗରିବ ଲୋକେ ଶହ ଶହ ସଂଖ୍ୟାରେ ଯୋଗଦେଇ କାଳୀ ମନ୍ଦିର ଠାରୁ ବାହାରି ସହର ପରିକ୍ରମା କରିବା ସହ ତହସିଲ କାର୍ଯ୍ୟାଳୟ ଠାରେ ପହିଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ କିଶାନ୍ ମଜଦୂର ସଭାର ବ୍ଳକ୍ କମିଟି ସଭାପତି କାଳୀଚରଣ ନାୟକଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା । ସେଥିରେ ଉଦବୋଧନ ଦେଇ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ରାଜ୍ୟର ସାଧାରଣ ଜନତାଙ୍କ ସମର୍ଥନ ପାଇ କ୍ଷମତାକୁ ଆସିଥିବା ନୂତନ ବିଜେପି ସରକାର ଗରିବ ଚାଷୀମୂଲିଆଙ୍କୁ ଜମି ଓ ଜଙ୍ଗଲ ଉପରେ ଅଧିକାର ଦେବା ବଦଳରେ କର୍ପୋରେଟମାନଙ୍କ ପାଇଁ ସରକାରୀ ଜମିରୁ ଜବରଦଖଲକୁ ହଟେଇବା ପାଇଁ ଯେଉଁ ଘୋଷଣା କରିଛନ୍ତି, ତା’ର ସମାଲୋଚନା କରିଥିଲେ । ନୂଆ ସରକାରର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବା ବେଳେ ରାଜ୍ୟର ସତରଟି ଖଣିକୁ କମ୍ପାନୀମାନଙ୍କୁ ଲିଜ୍ ଦେବାକୁ ଯେଉଁ ଘୋଷଣା କରିଛନ୍ତି ତା’ରି ଫଳରେ ସେ ଅଞ୍ଚଳରେ ରହୁଥିବା ଗରିବ ଲୋକ ବିଶେଷ କରି ଆଦିବାସୀମାନଙ୍କ ଜୀବନ ଜୀବିକା କ୍ଷତିଗ୍ରସ୍ତ ହେବ ବୋଲି କହିଥିଲେ । ସେହିପରି ଟାଟା କମ୍ପାନୀକୁ ପାଣି ଯୋଗାଇବା ପାଇଁ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ସୋରଡା ବ୍ଳକର ପିପଳପଙ୍କାରେ ଗତ ସରକାର ଏକ ଡ୍ୟାମ୍ ନିର୍ମାଣ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାରି ଫଳରେ ସେ ଅଞ୍ଚଳର ପ୍ରାୟ ୨୩ଟି ଗ୍ରାମର ଆଦିବାସୀମାନଙ୍କ ଜମି, ଜଙ୍ଗଲ ଓ ଜୀବିକା ପ୍ରଭାବିତ ହେବାକୁ ଯାଉଥିବାରୁ ରାଜ୍ୟର ଆଦିବାସୀ ମୁଖ୍ୟମନ୍ତ୍ରୀ ଏହାକୁ ତୁରନ୍ତ ବାତିଲ କରିବାକୁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଜିଲ୍ଲା କମିଟି ସଭ୍ୟ ସନ୍ତୋଷ ନାୟକ, ରାଧା ମଳିକ, ଦୟାନିଧି ଗୌଡ, ବ୍ଳକ୍ ସମ୍ପାଦକ ସଂଗ୍ରାମ ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷରେ ସଂଗଠନ ପକ୍ଷରୁ ଟାଟା କମ୍ପାନୀକୁ ପାଣି ଯୋଗାଇବା ପାଇଁ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କାରେ ଓଡ଼ିଶା ସରକାରଙ୍କ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ବାତିଲ କରିବା, ତହସିଲର ସମସ୍ତ ଭୂମିହୀନ ଓ ଗୃହହୀନ ଗରିବ ଲୋକଙ୍କୁ ଜମି ଓ ଘରଡିହ ପଟ୍ଟା ପ୍ରଦାନ କରିବା, ଜଙ୍ଗଲ ଜମିରେ ବର୍ଷ ବର୍ଷ ଧରି ଚାଷ ଓ ବାସ କରୁଥିବା ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରିବା, ରାସ୍ତା, ବିଦ୍ୟୁତ୍ ଓ ପିଇବା ପାଣିରୁ ବଞ୍ଚିତ ବ୍ଳକର ସବୁ ଆଦିବାସୀ ଗ୍ରାମକୁ ତୁରନ୍ତ ସେସବୁ ସୁବିଧା ଯୋଗାଇଦେବା ଆଦି ଦାବିରେ ଅଖିଳ ଭାରତ କିଶାନ୍ ମଜଦୂର ସଭା (AIKMS) ପକ୍ଷରୁ ଏକ ଆଠ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *