ଏନଏସଏସ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବ୍ୟାପକ ବୃକ୍ଷ ରୋପଣ ।
ବ୍ରହ୍ମପୁର(ପିବିନ୍ୟୂଜ୍) ଏନଏସଏସ ପକ୍ଷରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ମା ପାଇଁ ଗଛଟିଏ ସ୍ଲୋଗାନ ନେଇ ଜାତୀୟ ସେବା ଯୋଜନା ପିଜି ୟୁନିଟ ପକ୍ଷରୁ ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ଛାତ୍ରବାସ ପରିସରରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ବୃକ୍ଷରୋପଣ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ସତ୍ୟସାଇ ସେବା ସଂଗଠନ ସହଯୋଗରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜାତୀୟ ସେବାଯୋଜନର ସ୍ବେଚ୍ଛାସେବୀଙ୍କ ସହ ଛାତ୍ରବାସର ଅନ୍ତେବାସୀମାନେ ଭାଗ ନେଇ ନୂତନ ଛାତ୍ରାବାସ ପରିସରରେ ଗଛ ଲଗାଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୋଟିଏ ଗୋଟିଏ ଗଛକୁ ପୋଷ୍ୟ ଭାବେ ଗ୍ରହଣ କରି ତାର ରକ୍ଷଣାବେକ୍ଷଣ କରିବା ପାଇଁ କୁଳପତି ଆହ୍ବାନ ଦେଇଛନ୍ତି। ଏହାସହ ବିଶ୍ବବିଦ୍ୟାଳୟ ନିକଟରେ ଥିବା ବିମାନବନ୍ଦର ସଂପ୍ରସାରଣ ଯୋଗୁଁ ବ୍ୟାପକ ଗଛ କଟାଯାଇଥିବାରୁ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି ବୋଲି କୁଳପତି କହିଛନ୍ତି। ଗଛର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କରିବା ଲାଗ ରାଜ୍ୟ ସରକରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି। ଏହାସହ ପର୍ଯ୍ୟାୟକ୍ରମେ ବିଶ୍ବବିଦ୍ୟାଳୟ ପରିସରରେ 5ହଜାର ବୃକ୍ଷରୋପଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଂକର୍ଷଣ ମଲ୍ଲିକଙ୍କ ତତ୍ତ୍ବବଧାନରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ୱାର୍ଡେନ ପ୍ରଫେସର ସୁଧାକର ପାତ୍ର, ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଷ ସାହୁ, ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଗୋପାଳ ରାଓ, ନୂତନ ଛାତ୍ରବାସର ସୁପରିଟେଣ୍ଡେଣ୍ଟ ଡକ୍ଟର ରଘୁନାଥ ପାତ୍ର, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଡକ୍ଟର ପବିତ୍ର ସିଂ, କାର୍ଯକ୍ରମ ଅଧିକାରୀ ଡକ୍ଟର ଇତିଶ୍ରୀ ଗୀତାକୁମାରୀ, ଶକ୍ତିରଞ୍ଜନ ଦାଶ ପ୍ରମୂଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ।

