ବିପର୍ଯ୍ୟୟ ପରିଚଳନା ନେଇ ସମୀକ୍ଷା ବୈଠକସମ୍ଭାବ୍ୟ ବାତ୍ୟା “ଦାନା” କୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ୨୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ।

Spread the love


ଛତ୍ରପୁର (ପିବିନ୍ୟୂଜ୍)ତା.୨୩ .୧୦.୨୦୨୪ ସମ୍ଭାବ୍ୟ ବାତ୍ୟା “ଦାନା” ର ପ୍ରଭାବ ଗଞ୍ଜାମ ଜିଲ୍ଲାକୁ ରହୁଥିବା ହେତୁ ଲୋକଙ୍କ ଧନ ଜୀବନକୁ ସୁରକ୍ଷା ପ୍ରଦାନ କରି ଜିଲ୍ଲାର ଜିରୋ କାଜୁଆଲିଟି ରହିବ ସେଥି ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଅଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଲକ୍ଷ୍ୟ କରି ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ଏଣୁ ଗଞ୍ଜାମ ଜିଲ୍ଲାର ସମୁଦ୍ରକୂଳିଆ ଲୋକେ ନଦୀ ପାର୍ଶ୍ବରେ ବସବାସ କରୁଥିବା ଲୋକେ ମାଟିକାନ୍ଥ ଘରେ ରହୁଥିବା ପରିବାର, ଚିଲିକା କୂଳିଆ, କଚ୍ଚା ଘରେ କିମ୍ବା ବିପଦପୂର୍ଣ୍ଣ ସ୍ଥିତିରେ ଥିବା ଘରର ଲୋକଙ୍କୁ ସ୍ଥାନାନ୍ତର କରି ସେମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳ ମାନଙ୍କରେ ରଖାଯାଇ ରନ୍ଧା ଖାଦ୍ୟ ପ୍ରଦାନ କରିବା ନେଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଭାସୀ ବୈଠକରେ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଆଜି ସଂଧ୍ୟା ସୁଦ୍ଧା ସେମାନେ ସ୍ଥାନାନ୍ତର ହେବେ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ସଜାଗ ରହିଥିବା ଜଣା ପଡିଛି । ଜିଲ୍ଲାର ସମସ୍ତ ବ୍ଲକ୍ ଅଧିକାରୀ ମାନଙ୍କୁ ଗୋଟିଗୋଟି କରି ବୁଝା ଯାଇଛି । ସମୁଦାୟ ୨୫ ହଜାର ଲୋକ ସ୍ଥାନାନ୍ତର ହୋଇ ବିଭିନ୍ନ ଆଶ୍ରୟ ସ୍ଥଳ ମାନଙ୍କରେ ରହିବେ । ସେହିଠାରେ ରନ୍ଧା ଖାଦ୍ୟ, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଇତ୍ୟାଦି ସମସ୍ତ ବ୍ୟବସ୍ଥା ସକାଶେ କେଉଁ ପ୍ରକାର ପ୍ରସ୍ତୁତି ହୋଇଛି ତାହା ବୁଝାଯାଇଛି ଏବଂ ସେହି ତଥ୍ୟକୁ ରାଜ୍ୟ ସ୍ତରକୁ ପ୍ରେରଣ କରାଯାଇଛି । ଜିଲ୍ଲାର 1678 ଗର୍ଭବତୀ ମହିଳା ଚିହ୍ନଟ କରାଯାଇ ଏଥି ମଧ୍ୟରୁ 192 ଜଣଙ୍କୁ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଏଯାବତ୍ ଜିଲ୍ଲାରେ 109 ଗୋଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଥିବା ବେଳେ ଅତିରିକ୍ତ 700 ଗୋଟି ଆଶ୍ରୟ ସ୍ଥଳୀ ଚିହ୍ନଟ କରାଯାଇଛି । ଚିଲିକା, ସମୁଦ୍ର କିମ୍ବା ନଦୀରେ ମାଛ ଧରିବା ସକାଶେ ଜିଲ୍ଲାପାଳ ଶ୍ରୀ ପରିଡା ବାରଣ କରିଛନ୍ତି । ସମସ୍ତ ଅଞ୍ଚଳ ଗୁଡିକୁ ତୀକ୍ଷ୍ଣ ନଜର ରଖିବାପାଇଁ ଟିମ୍ ଗଠନ କରିବାକୁ ପରାମର୍ଶ ଦିଆଯାଇଛି । ମାଛ ଧରିବା ଲୋଭରେ ଲୋକଙ୍କ ଜୀବନ ପ୍ରତି ଯେମିତି ବିପଦ ନ ହେଉ ସେଥିପାଇଁ ପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ତତ୍ ସହିତ ରନ୍ଧା ଖାଦ୍ୟ ଓ ଶିଶୁ ଖାଦ୍ୟ (ବେବି ଫୁଡ୍) ମଧ୍ୟ ଯୋଗାଇବାକୁ କୁହାଯାଇଛି । ନଦୀତଟ, ସମୁଦ୍ରକୂଳ କିମ୍ବା ଚିଲିକା ନିକଟକୁ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି । ବିଶେଷ କରି ଖଲ୍ଲିକୋଟ, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ଅଞ୍ଚଳକୁ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଛି । ସ୍ଥାନାନ୍ତର ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ୍ ପ୍ରଶାସନର ସହାୟତା ନେବାକୁ କୁହାଯାଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଏବଂ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆୟୁଷ ପତି ସମସ୍ତ ସୂଚନା ପ୍ରଦାନ କରିଥିବା ବେଳେ ମୁଖ୍ୟଜିଲ୍ଲା ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *