ସୁନାପୁର ଇକୋ ରିଟ୍ରିଟରେ ଅବକାରୀ ବିଭାଗର କର୍ମଶାଳା । ବେଆଇନ ମଦ ଓ ଗଞ୍ଜେଇ ଚାଲାଣ ଉପରେ ଅଙ୍କୁଶ ଲାଗିବ–ଆଇନ ମନ୍ତ୍ରୀ ।

Spread the love

ଚିକିଟି-(ପିବିନ୍ୟୂଜ୍)-ଗଂଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ଇକୋ ରିଟ୍ରିଟ ପରିସରରେ ଶନିବାର ଅନୁଷ୍ଠିତ ହୋଇଛି ଅବକାରୀ ବିଭାଗ ଅଧିକାରୀଙ୍କ ଅବକାରୀ ଆଇନ ଏବଂ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ସମ୍ପର୍କିତ ଏକ କର୍ମଶାଳା । କର୍ମଶାଳାରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆଇନ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଯୋଗଦେଇ କର୍ମଶାଳାର ଶୁଭାରମ୍ଭ କରିବା ସହିତ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ରାଜ୍ୟରେ ଚୋରା ମଦ ଓ ଗଞ୍ଜେଇ ଚାଲାଣ ଉପରେ ଅଙ୍କୁଶ ଲଗାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଅଦବାସୀ ଓ ଅପହଞ୍ଚ ଇଲାକାରେ ଗଞ୍ଜେଇ ଓ ମଦ ବେପାର କରୁଥିବା ଲୋକଙ୍କୁ ବୁଝାସୁଝକରି ଅନ୍ୟ ରୋଜଗାରର ମାଧ୍ୟମ ପାଇଁ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଆୟୋଜିତ କର୍ମଶାଳାରେ ଚୋରା ମଦ ଓ ଗଞ୍ଜେଇ ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ନାରକୋଟେକ ବିଭାଗ ତରଫରୁ ଆସିଥିବା ବିଶେଷଜ୍ଞ ତାଲିମ ଦେଇଥିଲେ ।ନୂତନ ଅବକାରୀ ଆଇନ ସହ ଆନ୍ଧ୍ର ଅବକାରୀ ଆଇନ ଉପରେ ମଧ୍ୟ କର୍ମଶାଳା ରେ ବିସ୍ତୃତ ଆଲୋଚନା ହୋଇଥିଲା । କର୍ମଶାଳା ରେ ଅବକାରୀ କମିଶନର ନରସିଂହ ଭୋଳ, ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା,ଗଂଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର,ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣ ବିବେକ ଏମ. ପ୍ରମୁଖଙ୍କ ସହ ଅବକାରୀ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି କର୍ମଶାଳାରେ ଆଲୋଚନା ରେ ଭାଗ ନେଇଥିଲେ । ଏଭଳି କର୍ମଶାଳା ଦ୍ୱାରା ଅବକାରୀ ଆଇନ ଉପରେ ଅଧିକ ଜ୍ଞାନ ଆହରଣ, ଅବକାରୀ ଅଫିସରଙ୍କ ଦକ୍ଷତା ବୃଦ୍ଧି ସହିତ ଚୋରା ମଦ ଓ ଗଞ୍ଜେଇ ଚାଲାଣ ରୋକିବା ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି । ଉଭୟ ବ୍ରହ୍ମପୁର ଓ ଗଂଜାମ ଏସ୍ପି ନିଜ ଅଭିଭାଷଣରେ ଉପସ୍ଥିତ ଅବକାରୀ ବିଭାଗ ଅଫିସରଙ୍କୁ ତଦନ୍ତର ବିଭିନ୍ନ ଦିଗ ବୁଝାଇ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *