ଚତୁର୍ଥ ସନ୍ଧ୍ୟାରେ ନାଟକ”ଲୁହର ରଙ୍ଗ “ରେ ସୀମାହୀନ ଯନ୍ତ୍ରଣାର କଥା ।

Spread the love

ବ୍ରହ୍ମପୁର (ପୀବିନ୍ୟୁଜ)16ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ।) ବ୍ରହ୍ମପୁର– ମନୁଷ୍ୟ ଜୀବନରେ ସୁଖ ଏକଗୁଣ ହେଲେ ଦୁଃଖ ଦଶଗୁଣ । ଦୁଃଖ ଯେବେ ଆସେ ତସାଥିରେ ସାଥି ସହୋଦରଙ୍କୁ ନେଇ ଆସେ । ହେଲେ ଏମିତି ବି କିଛି ମଣିଷ ଅଛନ୍ତି ଦୁଃଖ ଯାହାଙ୍କ ଜୀବନରେ ସତେ ଯେମିତି କଳ୍ପନା ବାହାରେ । ଦୁଃଖର ପାହାଡ଼ ଉପରେ ଠିଆହୋଇ ଠିକ ଯେମିତି ନିଜ ଭାଗ୍ୟକୁ ନିନ୍ଦା କରି ନିଜକୁ ଏକ ଅଭିଶପ୍ତ ମଣିଷ ଭାବିନେଇଛି କଳ୍ପନା । ଚିତ୍ରଶିଳ୍ପୀ ରାଇମୋହନଙ୍କ କନ୍ୟା କଳ୍ପନା ଜୀବନରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି । ଅଶୁଭ ଲଗ୍ନରେ ଜନ୍ମ ହୋଇ ପ୍ରଥମେ ନିଜ ମାଆ ଙ୍କୁ ହରେଇଲା,ତାପରେ ସ୍ୱାମୀଙ୍କୁ ହରେଇ ବୈଧବ୍ୟ ଯନ୍ତ୍ରଣା ,ତାପରେ ଗୋଟିଏ କୁନିଝିଅର ମନକୁ ବୁଝେଇବାକୁ ଯାଇ ତାର ମାଆ ହେବାପାଇଁ ରାଜି ହେବାପରେ ସେହି ଶିଶୁଟିର ଦୁର୍ଘଟଣାରେ ମୃତ୍ୟୁ ,ଏସବୁ ଯନ୍ତ୍ରଣା କଳ୍ପନାକୁ ସତେ ଯେମିତି ସ୍ତବ୍ଧ କରିଦେଇଛି ।ଗୋଟିଏ ପଟେ ନିଜ ଫଟା କପାଳକୁ ନେଇ ଆଖିରୁ କଳ୍ପନାର ଲୁହର ଧାର ବୋହି ବୋହି ସୁଖି ଆସୁଥିବା ବେଳେ ଆରପଟେ କଳ୍ପନାକୁ ଭଲପାଇ ନିଜ କଳ୍ପନା ରାଇଜର ରାଣୀ କରିବାକୁ ସ୍ୱପ୍ନ ଦେଖିଥିବା ଚିତ୍ରଶିଳ୍ପୀ ଅବିନାଶ ନିଜର ମନକଥା କଳ୍ପନାର ବାପା ତଥା ନିଜ ଗୁରୁ ରାଇମୋହନଙ୍କ ଭୟରେ ପ୍ରକାଶ କରିପାରେ ନାହିଁ । ସୀମାହୀନ ଯନ୍ତ୍ରଣାକୁ ନେଇ ଶେଷରେ ଆତ୍ମହତ୍ୟା ନିଷ୍ପତ୍ତିକୁ ବାଛିନିଏ କଳ୍ପନା ,ଆଉ ନିଜ ଲୁହକୁ ରଙ୍ଗ କରି ତୁଳୀରେ କଳ୍ପନା ସିଂଥିରେ ଆଙ୍କିଦିଏ ଅବିନାଶ ସିନ୍ଦୁର ବିନ୍ଦୁ । ଏମିତି କିଛି ଜୀବନ୍ତ ବିଷୟବସ୍ତୁକୁ ନେଇ ମଂଚସ୍ଥ ହୋଇଛି ନାଟକ”ଲୁହର ରଙ୍ଗ” । ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ତରଫରୁ ଆୟୋଜିତ 16ତମ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଦେବଗଡ଼ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ନାଟ୍ୟସଂସ୍ଥା ତରଫରୁ ପରିବେଷିତ ହୋଇଥିବା ଏହି ନାଟକକୁ ଅଶୋକ କୁମାର ବହିଦାର ରଚନା କରିଥିବା ବେଳେ ସୁଜିତ କୁମାର ପାତ୍ର ନିର୍ଦ୍ଦେଶନା ଦେଇଛନ୍ତି । ଶକ୍ତି ପ୍ରସାଦ ମିଶ୍ର ସଙ୍ଗୀତ ଦାୟିତ୍ୱ ତୁଲାଇଥିଲେ । ନାଟକରେ ରାକେଶ ଶତପଥୀ,ଅମ୍ଳାନସୁ ପୂଜାରୀ,ଶୁଭମ ମହାଙ୍କୁର,ଆଜିତାଂସୁ ପୂଜାରୀ,ଅଂକୁର ରଞ୍ଜନ ସ୍ୱାଇଁ,କୁମାରୀ ଜୁଲି ଷଣ୍ଢ,ଓଜସ୍ୱିନୀ ସୁନେଲ ପ୍ରମୂଖଅଭିନୟ କରିଥିଲେ । ନାଟକଟି ଉପସ୍ଥିତ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲା । ନାଟକ ପୂର୍ବରୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନାଟ୍ୟକାର ନିର୍ଦ୍ଦେଶକ ଡା.ତିରୁପତି ସାହୁ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଗଂଜାମ ଜିଲ୍ଲା ମଂଚ କଳାକାର ସମ୍ମିଳନୀର ସାଧାରଣ ସମ୍ପାଦକ ରମେଶ ମହାରଣା,ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ରାଜକିଶୋର ପାଢ଼ୀ ପ୍ରମୂଖ ଯୋଗଦେଇଥିଲେ । ଅନୁଷ୍ଠାନର ସହ-ସମ୍ପାଦିକା ଆରତୀ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପଦେଷ୍ଟା ଜୟନ୍ତୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ର ମଞ୍ଚରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ,ସରୋଜ ପଣ୍ଡା, ଗିରିଜା ଶଙ୍କର ଦାସ,,ନବକିଶୋର ମହାପାତ୍ର, ସିଏଚ.ଦେବଦାସ,ଉମେଶ ଚୌଧୁରୀ,ନବକିଶୋର ମହାପାତ୍ର ପ୍ରମୂଖ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ ସୁଦୀପ ସାହୁ ଓ ପଦ୍ମିନୀ ମିଶ୍ର ମିଳିତ ଭାବେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *