ଜୀବନ ବଞ୍ଚାଇବା କ୍ଷେତ୍ରରେ ରକ୍ତଦାତାଙ୍କ ସର୍ବୋକୃଷ୍ଠ ସମୟ,ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ:-ରାଜଗୁରୁ
ବ୍ରହ୍ମପୁର, (ପିବିନ୍ୟୁଜ୍): ଖରାଦିନ 3ରୁ4ମାସ ସାଧାରଣତଃ ସବୁ କ୍ଷେତ୍ରରେ ସମସ୍ୟା ଦେଖାଯାଇଥାଏ। ସେ ପିଇବା ପାଣି ହେଉ ଅଥବା ରକ୍ତ। ଏହି ସମୟରେ ଜଳକଷ୍ଟ ସାଙ୍ଗକୁ ରକ୍ତ ସଙ୍କଟ ମଧ୍ୟ ଦେଖାଯାଇଥାଏ। ଯେଉଁଥି ପାଇଁ ଅନେକଙ୍କ ଜୀବନ ମଧ୍ୟ ଯାଇଥାଏ। ରକ୍ତ ସଙ୍କଟ ଦୂର କରିବାକୁ ହେଲେ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଆଗକୁ ଆସିବାକୁ ହେବ। ଏଥିରେ କଞ୍ଜୁସି କଲେ କିମ୍ବା ଅବହେଳା କଲେ ଅନ୍ୟର ଜୀବନ ଯିବା ଥୟ। ରକ୍ତଦାନ ଦ୍ୱାରା ନିଜର କିଛି କ୍ଷତି ହୋଇନଥାଏ ବରଂ ଅନ୍ୟର ଜୀବନ ବଞ୍ଚିଥାଏ। କାରଣ ଖରାଦିନରେ ସାଧାରଣତଃ ରକ୍ତଦାତାମାନେ ମଧ୍ୟ ରକ୍ତଦାନ କରିବାକୁ ପଛାଇଥାନ୍ତି। ଏଣୁ ଖରାଦିନରେ ରକ୍ତଦାନ ଶିବିର ଆୟୋଜନ କଷ୍ଟକର ହେଉଥିବା ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବର୍ତ୍ତମାନ ପୁଣି ସମୟ ନିର୍ବାଚନର। ସମସ୍ତ ଯୁବପିଢି ଓ ସ୍ୱେଚ୍ଛାସେବୀ ବ୍ୟସ୍ତ ନିର୍ବାଚନରେ। ଏଣୁ ରକ୍ତ ଭଣ୍ଡାରରେ ରକ୍ତର ଘୋର ସଙ୍କଟ ଦେଖାଯିବା ସହ ସ୍ତ୍ରୀ ଓ ପ୍ରସୂତୀ, ରକ୍ତ ଶିଙ୍କୁଳି, ଏଡ୍ସ ଓ କର୍କଟ ଭଳି ରୋଗୀଙ୍କ ପାଇଁ ଦୈନିକ ଆବଶ୍ୟକ ହେଉଥିବା ରକ୍ତ ଯୋଗାଇବା ମଧ୍ୟ ସମ୍ଭବପର ହେଉନାହିଁ। ଏଣୁ ପ୍ରତ୍ୟେକ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଲୋକଙ୍କ ଜୀବନ ବଞ୍ଚାଇବା କ୍ଷେତ୍ରରେ ଆଗକୁ ଆସିବା ଜରୁରୀ ହୋଇପଡିଛି। ରକ୍ତର ସଙ୍କଟକୁ ଦୃଷ୍ଟିରେ ରଖି ତଥା ସମୟର ଆବଶ୍ୟକତାକୁ ଦେଖି ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକଙ୍କ ଆବଶ୍ୟକତା ଓ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଗଠନର ସମସ୍ତ ସଦସ୍ୟଙ୍କୁ ଟିମ ପକ୍ଷରୁ ସଜାଗ ରହିବାକୁ କୁହାଯାଇଛି। ଏହି କ୍ରମରେ ବୁଧବାର ଟିମର ସକ୍ରିୟ ତଥା ପ୍ରତିଷ୍ଠାତା ସଦସ୍ୟ ରାଜେଶ କୁମାର ସାହୁ ଜଣେ କର୍କଟ ରୋଗ ସହ ସଂଘର୍ଷ କରୁଥିବା ସାହସୀ ଯୁବକଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି। ଆଗକୁ ଏହି ଧାରା ଜାରି ରହିବ ବୋଲି କହିଛନ୍ତି ଟିମ କ୍ଲିନ ସିଟିର ଆବାହକ ତଥା ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ। ଟିମ ସଦସ୍ୟ ରାଜେଶ ଓ ଟିମ କ୍ଲିନ ସିଟି ଗ୍ରୁପର ଏଭଳି ମନୋବୃତି ଯୋଗୁଁ ମିଳନ ଗ୍ରୁପ 1986 ପକ୍ଷରୁ ସଭାନେତ୍ରୀ ରଶ୍ମିତା ପାଣିଗ୍ରାହୀ କୃତଜ୍ଞତା ଜ୍ଞାପନ କରିଛନ୍ତି।
