ଶ୍ରବଣ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ।

Spread the love


ବ୍ରହ୍ମପୁର,(ପିବିନ୍ୟୁକ୍) ସ୍ଥାନୀୟ ଏସଏଭି ପବ୍ଲିକ ସ୍କୁଲ ବ୍ଲୁଜମସ (ଶ୍ରବଣ) ପକ୍ଷରୁ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳ ପଡିଆରେ ମଙ୍ଗଳବାର ବିଶ୍ୱ ଭିନ୍ନକ୍ଷମ ଦିବସ ପାଳନ କରାଯାଇଛି। ବର୍ତ୍ତମାନ ସମାଜରେ ଭିନ୍ନକ୍ଷମମାନେ ସକ୍ଷମଙ୍କ ଭଳି ଅନେକ କାର୍ଯ୍ୟ କରିପାରୁଛନ୍ତି। ତେଣୁ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ କହିଥିଲେ। ସ୍କୁଲର ପ୍ରନିସପାଲ ତଥା ଚେୟାରମ୍ୟାନ ଦେବୀ ପ୍ରସାଦ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ଭାବେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଯୋଗଦେଇ କହିଲେ ଯେ, ଆଜିକାଲି ସମାଜରେ ଭିନ୍ନକ୍ଷମମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଛନ୍ତି। ତେଣୁ ସେମାନଙ୍କୁ ବୋଝ ବୋଲି ଭାବିବା ଅନୁଚିତ। ସେମାନଙ୍କୁ ପ୍ରୋତ୍ସାହିତ କରି ବିଭିନ୍ନ କ୍ଷେତ୍ରରେ ସୁଯୋଗ ଦେଲେ ସମାଜ ବିକଶିତ ହୋଇପାରିବ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟ ଡିଆଇଇଟିର ପ୍ରିନସିପାଲ ଡ. ସନ୍ତୋଷ କୁମାର ପରିଡା ଯୋଗ ଦେଇ କହିଲେ ଯେ, ଭିନ୍ନକ୍ଷମଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ସେହି ସବୁ ଯୋଜନାର ସୁଫଳ ସେମାନେ କିଭଳି ପାଇବେ ପ୍ରତ୍ୟେକ ସ୍ତରରେ ଉଦ୍ୟମ ହେବା ଦରକାର। ପୂର୍ବରୁ ଭିନ୍ନକ୍ଷମଙ୍କ ପ୍ରତି ପରିବାର ଏବଂ ସମାଜରେ ହେୟ ମନୋଭାବ ସୃଷ୍ଟି ହେଉଥିଲା। ସେହି ସମୟ ଆଉ ନାହିଁ। କ୍ରୀଡା, ନୃତ୍ୟ ଏବଂ କର୍ମ କ୍ଷେତ୍ରରେ ସେମାନଙ୍କ ନିପୁଣତା ଦେଖିବାକୁ ମିଳୁଛି। ଅନେକ କ୍ଷେତ୍ରରେ ସେମାନେ ଆତ୍ମନିର୍ଭରଶୀଳ ବି ହୋଇପାରିଛନ୍ତି। ସେମାନଙ୍କୁ ବୋଝ ନଭାବି ପ୍ରତି କ୍ଷେତ୍ରରେ ସହଯୋଗ କରାଯାଇ ମୁଖ୍ୟସ୍ରୋତରେ ସାମିଲ କରାଯିବା ଉଚିତ। ଏଥିପାଇଁ ସମସ୍ତଙ୍କ ଗୁରୁଦାୟିତ୍ୱ ରହିଛି। ଭିନ୍ନକ୍ଷମଙ୍କ ବିକାଶ ପାଇଁ ଶ୍ରବଣ ଭଳି ସଂସ୍ଥା ଦୀର୍ଘବର୍ଷ ଧରି ଉଦ୍ୟମ କରି ସଫଳ ହୋଇଥିବାରୁ ସେ ପ୍ରଶଂସା କରିଥିଲେ। ଉକ୍ତ ସଂସ୍ଥା ପ୍ରତି ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅତିଥି ଭାବେ ବ୍ରହ୍ମପୁର ଉପଜିଲାପାଳ ଦୀନା ଦସ୍ତଗିର ଯୋଗଦେଇ କହିଲେ ଯେ, ଭିନ୍ନକ୍ଷମମାନେ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କଲେଣି। ତେଣୁ ଆଗାମୀ ଦିନରେ ଭିନ୍ନକ୍ଷମ ଶବ୍ଦ ଥିଲେ ବି ସେମାନଙ୍କ କାର୍ଯ୍ୟଧାରା ସକ୍ଷମଙ୍କ ଭଳି ସମାନ ହୋଇଯାଇଥିବ ବୋଲି ସେ କହିଥିଲେ। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଶାନ୍ତିସୁଧା ପାତ୍ର ଅତିଥି ଭାବେ ଯୋଗଦେଇ କହିଲେ ଯେ, ଭିନ୍ନକ୍ଷମମାନଙ୍କୁ ଏବେ ବହୁତ ସୁଯୋଗ ମିଳୁଛି। ତାକୁ ସେମାନେ ବ୍ୟବହାର କରୁଛନ୍ତି। ଶିକ୍ଷା, ଗମନାଗମନ, ଚାକିରି କ୍ଷେତ୍ରରେ ସେମାନଙ୍କୁ ସରକାରୀ ସ୍ତରରେ ପର୍ଯ୍ୟାପ୍ତ ସୁଯୋଗ ରହିଛି। ତାହାର ସଦୁପଯୋଗ କରିବାକୁ ଭିନ୍ନକ୍ଷମମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରବଣ ଅନୁଷ୍ଠାନର ଭିନ୍ନକ୍ଷମଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସେମାନଙ୍କ ବିକାଶ ପାଇଁ କରୁଥିବା ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ଯୋଗଦେଇ କହିଲେ ଯେ, ଭିନ୍ନକ୍ଷମଙ୍କୁ ଯେତେ ଆଦର କରିବା ସେମାନେ ଆଗ୍ରହର ସହିତ ସବୁ କାର୍ଯ୍ୟ କରିପାରିବେ। ଏଥିପାଇଁ ବିଭିନ୍ନ ସ୍ତରରେ ସଚେତନତା ଦରକାର। ଏ କ୍ଷେତ୍ରରେ ଶ୍ରବଣର ଭାଗିଦାରିତାକୁ ସେ ପ୍ରଶଂସା କରିଥିଲେ। କୁକୁଡାଖଣ୍ଡି ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ର ଯୋଗଦେଇ କହିଲେ ଯେ, ଶ୍ରବଣ ଭିନ୍ନକ୍ଷମଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାର ଯେଉଁ ଆଶା ରଖିଛି ତାହା ଧିରେ ଧିରେ ସଫଳ ହେବାରେ ଲାଗିଛି। ତେଣୁ ଏହା ସରିଗଲା ବୋଲି ନଭାବି ଆଗାମୀ ଦିନରେ ଏହାକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ ଯୋଗଦେଇ ଅନୁରୂପ ବାର୍ତ୍ତା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର କାର୍ଯ୍ୟକାରୀ ସଭପତି କେ.କ୍ରିଷ୍ଣମୂର୍ତ୍ତି, ସମ୍ପାଦକ ପ୍ରଶାନ୍ତ କୁମାର ଦାସ, ଉପାଧ୍ୟକ୍ଷ ତଥା ଯୁଗ୍ମ ସମ୍ପାଦକ ସୁମିତ୍ରା ନାୟକ,ଟ୍ରଷ୍ଟି ମେମ୍ବର ନାରାୟଣ ମହାକୁଡ଼ ଓ ଗୋପାଳ ପଟ୍ଟନାୟକ, ଉପସ୍ଥିତ ଥିଲେ। ସ୍କୁଲ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋପୀନାଥ ମହାପାତ୍ର, ପ୍ରିୟମ୍ବଦା ଷଡଙ୍ଗୀ, ଲଡୁକେଶ ବେହେରା, ଓ୍ବାଇ. ଲାବନ୍ୟା, ସସ୍ମିତା ମହାନ୍ତି, ତ୍ରିପତି ମହାରଣା ସମେତ ବହୁ ଅଭିଭାବକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *