ଗଞ୍ଜାମ ଓକିଲ ସଂଘ ନିର୍ବାଚନ ମନୋଜ ସଭାପତି, ଭେଙ୍କଟ ସମ୍ପାଦକ ।
ବ୍ରହ୍ମପୁର, (ପୀବିନ୍ୟୁଜ୍)ଗଞ୍ଜାମ ଓକିଲ ସଂଘର ନିର୍ବାଚନ ୨୦୨୫-୨୬ ପାଇଁ ଆଜି ଭୋଟ୍ ଗ୍ରହଣ ହୋଇଛି। ସଭାପତି ଭାବେ ବରିଷ୍ଠ ଆଇନଜୀବୀ ମନୋଜ ପଟ୍ଟନାୟକ ବିଜୟୀ ହୋଇଛନ୍ତି। ସେହିପରି ସମ୍ପାଦକ ଭାବେ ଆଇନଜୀବୀ ଟି. ଭେଙ୍କଟ ରାଓ ବିଜୟୀ ହୋଇଥିବା ନିର୍ବାଚନ ଅଧିକାରୀ ମୋହନ ସିଙ୍ଗାରୀ ଘୋଷଣା କରିଛନ୍ତି । ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀଙ୍କୁ ଆଇନଜୀବୀମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି | ଗଞ୍ଜାମ ଓକିଲ ସଂଘର ସଦସ୍ୟଙ୍କ ହିତ ପାଇଁ କାର୍ଯ୍ୟ କରାଯିବ ବୋଲି ନବନିର୍ବାଚିତ ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେହିପରି ସଂଘର ନୂତନ ବିଲିଂ ଓ ଲାଇବ୍ରେରି କିପରି ନିର୍ମାଣ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ ସେ କହିଛନ୍ତି।
ସଭାପତି ପଦ ପାଇଁ ଆଇନଜୀବୀ ଶ୍ରୀ ପଟ୍ଟନାୟକ, କପିଳେଶ୍ବର ପଟ୍ଟନାୟକ ଓ ସୀତାଂଶୁଶେଖର ପଣ୍ଡାଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ହୋଇଥିଲା। ମନୋଜ ପଟ୍ଟନାୟକ ୫୬୯ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଶ୍ରୀ ପଣ୍ଡା ୪୭୮ ଭୋଟ୍ ପାଇଛନ୍ତି। ସେହିପରି ଉପସଭାପତି ପଦ ପାଇଁ ପ୍ରତିଦ୍ଵନ୍ଦିତା କରିଥିବା ଆଇନଜୀବୀ ତ୍ରିମୁଲ କୁମାର ରେଡ୍ଡୀ ୭୧୭ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ଅନ୍ୟତମ ପ୍ରତିଦ୍ଵଦ୍ବୀ ଅନୀଲ କୁମାର ପଣ୍ଡା ୫୧୩ ଭୋଟ୍ ପାଇଥିବା ବେଳେ ସତ୍ୟନାରାୟଣ ବସନ୍ତିଆ ୨୦୦ ଭୋଟ୍ ପାଇଛନ୍ତି । ସମ୍ପାଦକ ଭାବେ ଶ୍ରୀ ରାଓ ୭୫୩ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଜଗନ୍ନାଥ
ମିଶ୍ର ୬୦୭ ଭୋଟ୍ ପାଇଛନ୍ତି | ଅନ୍ୟ ଦୁଇଜଣ ପ୍ରତିଦ୍ଵନ୍ଦୀ ହେଲେ ଆଇନଜୀବୀ ଶ୍ୟାମସୁନ୍ଦର ସାହୁ ଓ ୱାଇ. ଶ୍ରୀରାମୁଲୁ ପାତ୍ର ସେହିପରି ଯୁଗ୍ମମ୍ପାଦକ ପଦ ପାଇଁ ଆଇନଜୀବୀ ଅସିତ ସାବତ ଓ ରଂଜନ କୁମାର ସାମନ୍ତରାୟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଯୁଗ୍ମସମ୍ପାଦକ ଭାବେ ଶ୍ରୀ ସାବତ ୮୦୨ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀ ସାମନ୍ତରାୟ ୬୩୩ ଭୋଟ୍ ପାଇଛନ୍ତି ।
ଆଜି ସକାଳ ୯ଟା ବେଳେ ନିର୍ବାଚନ ଅଧିକାରୀ ସିଙ୍ଗାରୀଙ୍କ ତତ୍ତ୍ବାବଧାନରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା | ଭୋଟ୍ ଅପରାହ୍ଣ ୪ଟାରେ ଗଣତି ଆରମ୍ଭହୋଇଥିଲା। କଡ଼ା ସୁରକ୍ଷା ବଳୟରେ ମୋଟ ୧୪୪୩ ଆଇନଜୀବୀ ଭୋଟ୍ ଦେଇଥିଲେ |


