ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ
ଛତ୍ରପୁର (ପୀବିନ୍ୟୁଜ) ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଅନୁଷ୍ଠିତ ହେଉଥିବା ଓଡିଆ ପକ୍ଷ-2025 ଅବସରରେ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବ୍ରହ୍ମପୁର ସ୍ଥିତ ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଗଣ ଚୟନ ହୋଇ ଜିଲ୍ଲା ସ୍ତରୀୟ. କବିତା ଲିଖନ, ଗଳ୍ପ ଲିଖନ ଓ ପ୍ରବନ୍ଧ ଲିଖନରେ ଅଂଶ ଗ୍ରହଣ କରିଥିଲେ । ପରେ ପରେ ବିଜୁ ପଟ୍ଟ ନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ଯୁବ ସମ୍ମିଳନୀ ଉତ୍ସବରେ ଯୁବ ପ୍ରତିଭାଧାରୀ ଲେଖକ ଗଣ କବିତା, ଗଳ୍ପ ଓ ପ୍ରବନ୍ଧ ସମ୍ବନ୍ଧୀୟ. ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡିଆ ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ ଡ ସିଦ୍ଧାର୍ଥ ଶଂକର ପାଢୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଓଡିଆ ଭାଷା, ସାହିତ୍ୟର ସୁରକ୍ଷା ଦିଗରେ ଯୁବପୀଢୀଙ୍କର ଆବଶ୍ୟକତା ଓ ସେମାନେ କିଭଳି ଏହି ଦିଗରେ ଅଗ୍ରସର ହୋଇ ନିଜର ପ୍ରତିଭା ପ୍ରଦର୍ଶନ କରିବେ ତାହା ଜଣାଇଥିଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପ ନିର୍ଦ୍ଦେଶକ ଡ ସୁଶାନ୍ତ କୁମାର ଦାଶ, ଶଶୀ ଭୂଷଣ ରଥ ମହିଳା ମହାବିଦ୍ୟାଳୟ. ତେଲୁଗୁ ସାହିତ୍ୟ ବିଭାଗ ମୁଖ୍ୟ କେ. ନାରାୟଣ ରାଓ, ସଂଗଠକ ନାରାୟଣ ମହାଙ୍କୁଡ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ନରେନ୍ଦ୍ରପୁର କ୍ଷେତ୍ର ମୋହନ ବିଜ୍ଞାନ ମହା ବିଦ୍ୟାଳୟର ଓଡିଆ ବିଭାଗୀୟ ମୁଖ୍ୟ ଡ ହୃଷିକେଶ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରଦତ୍ତ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।






