ଗଞ୍ଜାମ ଜିଲ୍ଲାରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ
ଛତ୍ରପୁର (ପିବିନ୍ୟୁଜ୍) ଭାରତ ସରକାରଙ୍କ ନେତୃତ୍ୱରେ ଚାଲିଥିବା ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀଙ୍କ ଜନ ଆରୋଗ୍ୟ ଯୋଜନା (ଏ. ବି. ପି ଏମ୍. ଜେ. ଏ.ୱାଇ) ଏବଂ ଆମ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ) ଭାରତ ସରକାରଙ୍କ ଯୋଜନା ସହ ସଂଯୁକ୍ତ ହୋଇ ଆଜି ସାରା ଓଡ଼ିଶାରେ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ଦ୍ବାରା ଶୁଭ ଉନ୍ମୋଚନ ହେବା ସଙ୍ଗେ ସଙ୍ଗେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ସରକାରୀ ବିନାୟକ ଆଚାର୍ଯ୍ୟ ଉଚ୍ଚ ବିଦ୍ୟାଳୟ ଆସ୍କା ରୋ଼ଡ୍ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ କର କମଳରେ ସ୍ବାସ୍ଥ୍ୟ ଚେତନା ରଥର ଶୁଭ ଉଦ୍ଘାଟନ ହୋଇଯାଇଛି । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ତାଙ୍କ ବକ୍ତବ୍ୟରେ ଗଞ୍ଜାମ ଜିଲ୍ଲାର ବହୁ ଜନସାଧାରଣ ଓଡ଼ିଶା ବାହାର ରାଜ୍ୟରେ କାମଧନ୍ଦା କରି ଜୀବିକା ନିର୍ବାହ କରୁଛନ୍ତି , ସେମାନଙ୍କ ଚିକିତ୍ସାରେ ଏହି କାର୍ଡ ଦ୍ଵାରା ବହୁତ ଲାଭବାନ ହୋଇ ପାରିବେ ଏଵଂ ଗଞ୍ଜାମ ଜିଲ୍ଲାର ୨୮ଲକ୍ଷ ୯୨ହଜାର ହିତାଧିକାରୀ ଉପକୃତ ହୋଇପାରିବା ସହିତ ତାଙ୍କ ପରିବାରର ସମସ୍ତ ସଦସ୍ୟ ଉପକୃତ ହୋଇପାରିବେ l ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ କେ ଅନିଲ କୁମାର, ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ,ଜିଲ୍ଲା ପରିଷଦ ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା ,ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଭବାନୀ ପ୍ରସାଦ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l କାମିନୀ ମହାରଣା ୱାର୍ଡ ୧୮, ମୌସୁମୀ ସାହୁ ୱାର୍ଡ ୬, ପ୍ରତୀକ୍ଷା ଦିକ୍ଷିତ୍ ୱାର୍ଡ ୫, ବାସନ୍ତୀ କୁମାରୀ ଚୌଧୁରୀ ୱାର୍ଡ ୬ ହିତାଧିକାରୀଙ୍କୁ ମଞ୍ଚାସିନ ଅତିଥି ବୃନ୍ଦ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରିଥିଲେ l
ଜନ ସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା କାର୍ଡ ଏହି ସମନ୍ବିତ ଯୋଜନାର ଏକକ କାର୍ଡ । ଏହି କାର୍ଡ ମାଧ୍ୟମରେ ସାରା ଭାରତ ବର୍ଷରେ ୨୯୦୦୦ ରୁ ଉର୍ଦ୍ଧ୍ୱ ତାଲିକାଭୁକ୍ତ ସରକାରୀ ଏବଂ ଘରୋଇ ଚିକିତ୍ସାଳୟ ମାନଙ୍କରେ ମିଳୁଥିବା ଉନ୍ନତମାନର ସ୍ୱାସ୍ଥ୍ୟ ମାଗଣାରେ ପାଇପାରିବେ। ଭାରତ ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ, ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ଏବଂ ଗଞ୍ଜାମ ଜିଲ୍ଲାରେ ୨୮.୯୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସେମାନଙ୍କୁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟାମାନଙ୍କ ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ।
ବୟୋ ବନ୍ଦନା ଯୋଜନା ଅନ୍ତର୍ଭୁକ୍ତ ବରିଷ୍ଠ ନାଗରିକମାନଙ୍କୁ( ୭୦ ବର୍ଷ କିମ୍ଵା ତା’ଠାରୁ ଅଧିକ ବୟସର ବ୍ୟକ୍ତି ଗଣ ) ମଧ୍ୟ ୨୯,୦୦୦ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ I ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳିଥିଲା । କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ଼ ଉପଲବ୍ଧ ହେବ । ପୂର୍ବରୁ କେବଳ ୧୬ ଟି ରାଜ୍ୟରେ ୯୦୦ ଟି ତାଲିକାଭୁକ୍ତ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିବା ବେଳେ ବର୍ତ୍ତମାନ୍ ମିଳିତ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀମାନଙ୍କୁ ସାରା ଦେଶରେ ୨୯,୦୦୦ ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ। ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ଠାରୁ ଏହି ଯୋଜନାରେ ନିର୍ଦ୍ଧାରିତ ଅନୁଯାୟୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ହିତାଧିକାରୀମାନଙ୍କ ପାଇଁ ଇ-କେ.ୱାଇ.ସି ସହ କାର୍ଡ଼ ପ୍ରସ୍ତୁତି ଓ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ I ଏହା ମାଧ୍ୟମରେ ଜନସାଧାରଣ ବିଶେଷତଃ ଆର୍ଥିକ ଦୁର୍ବଳ ଏବଂ ସମ୍ବେଦନଶୀଳ ବର୍ଗର ଲୋକମାନଙ୍କୁ ଉଭୟ ସରକାରୀ ଓ ତାଲିକାଭୁକ୍ତ ଘରୋଇ ହସ୍ପିଟାଲମାନଙ୍କରେ ଉଚ୍ଚମାନର ଦେୟମୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ପ୍ରାୟ ୩.୫ କୋଟିରୁ ଉର୍ଦ୍ଧ ପଛୁଆ ଆର୍ଥିକ ବର୍ଗ ଲୋକ ଏହି ଯୋଜନାର ସୁବିଧା ପାଇବାକୁ ଯୋଗ୍ୟ I ନିଜର ଚିହ୍ନଟ ନିମନ୍ତେ ହିତାଧିକାରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପିଏମ୍.ଜେ.ଏ.ୱାଇ) ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜି.ଜେଏ.ୱାଇ) କାର୍ଡ / ଆଧାର କାର୍ଡ / ରେସନ୍ ଜାର୍ଡ ନେଇ ହସ୍ପିଟାଲକୁ ଯିବା ଆବଶ୍ୟକ। ଜଣେ ବ୍ୟକ୍ତି ହେଲପ୍ ଲାଇନ୍ ନମ୍ବର-୧୪୫୫୫ ବା ଟୋଲ ଫ୍ରି ନମ୍ବର-୧୦୪ କୁ ଫୋନ୍ କରି ଯୋଜନା ବାବଦରେ ଯେକୌଣସି ଅନୁସନ୍ଧାନ କରିପାରିବେ ବା ଅଭିଯୋଗ ରଖିପାରିବେ ।


