ନୂଆଦିଲ୍ଲୀରେ ଜାତୀୟ ପର୍ଯ୍ୟଟନ ଦିବସରେ “ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ”ର ଶୁଭାରମ୍ଭ କଲେ ତିନି କେନ୍ଦ୍ରମନ୍ତ୍ରୀ। ଓଡ଼ିଶାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଅତିଥି ସତ୍କାର କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

Spread the love


ନୂଆଦିଲ୍ଲୀ/ଭୁବନେଶ୍ୱର,୨୫/୦୧/୨୦୨୩: ଓଡ଼ିଶାକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ଅତିଥି (ପିବି ନ୍ୟୁଜ୍) କରିବାର ଦାୟିତ୍ୱ ନେବା ପାଇଁ ବୁଧବାର ନୂଆଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନ୍ ଠାରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ଅନ୍ତର୍ଗତ “ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ”ର ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜାତୀୟ ପର୍ଯ୍ୟଟନ ଦିବସ ଅବସରରେ ଏହି ଟ୍ରେନର ଶୁଭାରମ୍ଭ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ “ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ”ରେ ପ୍ରାୟ ୫୨୮ ଜଣ ତୀର୍ଥଯାତ୍ରୀ ବାରାଣାସୀ, ବୈଦ୍ୟନାଥ, ପୁରୀ, ଭୁବନେଶ୍ୱର ଓ ଗୟା ଦେଇ ଯାତ୍ରା କରିବେ । ସେମାନେ ଶ୍ରୀମନ୍ଦିର, ଲିଙ୍ଗରାଜ, କୋଣାର୍କ, ବିଶ୍ୱନାଥ, ବୈଦନାଥ ମନ୍ଦିର ସମେତ ବିଷ୍ଣୁ ଭବବାନଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାର ଲାଭ ପାଇବେ । ଅତିଥି ଦେବ ଭବଃ । ତେଣୁ ଓଡ଼ିଶାର ଲୋକମାନେ ଏହି ଟ୍ରେନରେ ରାଜ୍ୟକୁ ଭ୍ରମଣ ପାଇଁ ଆସୁଥିବା ତୀର୍ଥଯାତ୍ରୀଙ୍କର ଅତିଥି ସତ୍କାର କରିବାର ଦାୟିତ୍ୱ ନିଅନ୍ତୁ ।

ସେ କହିଛନ୍ତି ମହାପ୍ରଭୁଙ୍କ ଆଶୀର୍ବାଦରେ ଏହି ଟ୍ରେନର ଶୁଭାରମ୍ଭ ହୋଇଛି । ମହାପ୍ରଭୁଙ୍କ ଇଚ୍ଛା ବିନା କୌଣସି କାମ ସମ୍ପନ୍ନ ହୁଏ ନାହିଁ । ତାଙ୍କର ଅନୁମତି ବିନା ଭକ୍ତମାନେ ତାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ପାଇପାରନ୍ତି ନାହିଁ ବୋଲି ଆମର ବିଶ୍ୱାସ ରହିଛି । ତୀର୍ଥଯାତ୍ରୀମାନେ ପର୍ଯ୍ୟଟନ ଓ ଐତିହ୍ୟ ସ୍ଥଳି ଭ୍ରମଣ କରିବା ସମୟରେ ସାଙ୍ଗରେ ମହାପ୍ରଭୁଙ୍କ ମହାପ୍ରସାଦ ଆଣିବା ସହ ରଘୁରାଜପୁରର ପଟ୍ଟଚ୍ଚିତ୍ର ଓ ସ୍ଥାନୀୟ ସାମଗ୍ରୀକୁ କିଣିବେ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ପୁରୀ ଯାଉଥିବା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନକୁ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନରେ ନାମିତ କରିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାର ପର୍ଯ୍ୟଟନ ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦେଶର ସାମାନ୍ୟ ଘରର ନାଗରିକମାନେ କମ୍ ଟଙ୍କାର ଉଚ୍ଚକୋଟୀର ସୁବିଧା ପାଇବେ । ଦେଶରେ ଓଡ଼ିଶାର ଗୌରବକୁ ବଢାଇବା ଦିଗରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ “ଦେଖୋ ଅପନା ଦେଶ”ର କଳ୍ପନା ଦିଗରେ ଆଜିର ପଦକ୍ଷେପ ଦ୍ୱାରା ସମଗ୍ର ଭାରତବର୍ଷରେ କେବଳ ପର୍ଯ୍ୟଟନର ବିକାଶ ହେବ ନାହିଁ ବରଂ ରୋଜଗାର ମଧ୍ୟ ବଢିବ । ଓଡ଼ିଶାର ସାମାଜିକ ଜୀବନରେ ମଧ୍ୟ ସୁପ୍ରଭାବ ପଡିବ । ସ୍ଥାନୀୟ ଅଞ୍ଚଳରେ ଉତ୍ପାଦିତ ହେଉଥିବା ସାମଗ୍ରୀର ପ୍ରଚାର ପ୍ରସାର ହେବା ସହ ଅର୍ଥନୀତିରେ ଅଭିବୃଦ୍ଧି ଘଟିବ । ଏହାର ସଫଳ କରିବାର ଦାୟିତ୍ୱ ଆମ ମାନଙ୍କର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଓ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *