ଗଞ୍ଜାମ ମଣ୍ଡଳ ସ୍ତରୀୟ କେତା-ବିକ୍ରେତା ସମ୍ମିଳନୀ

Spread the love

ବ୍ରହ୍ମପୁର: (ପିବିନ୍ୟୁଜ୍)ସଦ୍ୟ ପ୍ରକାଶିତ ଏକ ଆକଳନ ଅନୁସାରେ ଆମ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୨୦୧୩-୧୪ ଠାରୁ ୨୦୨୧-୨୨ ମଧ୍ୟରେ ଦ୍ବିଗୁଣିତ ହୋଇ ୯,୯୦,୦୦୦ ମେଟ୍ରିକ ଟନ ହୋଇଛି । ସେହିପରି ଗତ ଏକ ବର୍ଷ ମଧ୍ୟରେ ରାଜ୍ୟର ମତ୍ସ୍ୟ ରପ୍ତାନିରେ ୧୮.୬% ବୃଦ୍ଧି ଘଟିଛି । ଫେବୃଆରୀ ୦୪ ତାରିଖ ଦିନ ଓଡିଶା ସରକାରଙ୍କ ମତ୍ସ୍ୟ ବିଭାଗ ତରଫରୁ ବ୍ରହ୍ମପୁର ଠାରେ ଗଞ୍ଜାମ ମଣ୍ଡଳ ସ୍ତରୀୟ କ୍ରେତାବିକ୍ରେତା ସମ୍ମିଳନୀ ଅବସରରେ ଗଞ୍ଜାମ ଅଞ୍ଚଳ ମତ୍ସ୍ୟ ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହେମନ୍ତ କୁମାର ଦାଶ ଏହି ତଥ୍ୟ ଉପସ୍ଥାପନ କରିଥିଲେ । ନିମନ୍ତ୍ରିତ ଅଥ୍ତି ଭାବେ ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ନିମାଇଁ ଚରଣ ବସ୍ତିଆ ମାଛ ଚାଷରେ ବିବିଧତା ଉପରେ ଗୁରୁତ୍ବ ଆରୋପ କରି ନୂଆ ନୂଆ ଜ୍ଞାନ କୌଶଳ ବ୍ୟବହାର କରିବା ନିମନ୍ତେ ମାଛ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ମାଛ ଉତ୍ପାଦନ କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି ବୋଲି ରଙ୍ଗେଇଲୁଣ୍ଡା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଣୁବିଜ୍ଞାନ ପ୍ରାଧ୍ୟାପକ ଡଃ ସନ୍ତୋଷ କୁମାର ଉଦଗାତା ମୁଖ୍ୟଅତିଥ୍‌ ଭାବରେ ଯୋଗ ଦେଇ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଭରପ୍ରାପ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର, ଅଗ୍ରଣୀ ବ୍ୟାଙ୍କ ପରିଚାଳକ ଅଶୋକ ପଣ୍ଡା, ଏଏଫଓ କୁଞ୍ଜ ବିହାରୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୧୦୦ରୁ ଊର୍ଦ୍ଧ୍ବ ମତ୍ସ୍ୟ ବିଭାଗ ଅଧିକାରୀ, କର୍ମଚାରୀ, ବ୍ୟାଙ୍କ ଅଧିକାରୀ, ମାଛ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ, ମାଛ ଚାଷ ସମ୍ପର୍କିତ ଉତ୍ପାଦକ ସାମଗ୍ରୀ ବ୍ୟବସାୟୀ ଯୋଗ ଦେଇଥିଲେ । ଏହି ଅବସରରେ କନ୍ଧମାଳର ଦୁଇ ଜଣ ମାଛ ଚାଷୀଙ୍କୁ ଜାଲ ବଣ୍ଟନ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ମଧୁର ଜଳ ମାଛ ଚାଷ, ଖାରୀ ଜଳ ମାଛ ଚାଷ ତଥା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଥିବା ସରକାରୀ ସୁବିଧା ସହ ଅନେକ ବୈଜ୍ଞାନିକ ତଥ୍ୟର ଆଦାନ ପ୍ରଦାନ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା । ଅତିରିକ୍ତ ମତ୍ସ୍ୟ ଅଧ୍ୟାକାରୀ ଶୁଚିସ୍ମିତା ପ୍ରିୟଦର୍ଶିନୀ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଏଫଓ ରଶ୍ମିତା ସାହାଣୀ ଓ ବରିଷ୍ଠ କିରାଣୀ ପଦ୍ମିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *