କାର୍ ର ସିକ୍ରେଟ ଚାମ୍ବରରୁ ୭୦କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ
ଜବତ କାର୍ ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୭ଲକ୍ଷ ଟଙ୍କା
ବ୍ରହ୍ମପୁର(ପିବିନ୍ୟୁଜ୍),୧୩/୩/୨୩:ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ସଫଳତା । ଆଜି ଅବକାରୀ ଗୁଇନ୍ଦା ବିଭାଗ ଆସିକା କଲେଜ ଛକରେ ଗୋଟିଏ କାରକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ସେଥିରେ ଗଂଜେଇ ଥିବା ଜଣାପଡ଼ିଥିଲା । ସେହିକ୍ରମେ ଚାଲାଣକାରୀଯୁବକକୁ ଗିରଫ କରିବା ସହ ଗଞ୍ଜେଇକୁ ଜବତ କରାଯାଇ ଓଜନ କରାଯାଇଥିଲା । ଜବତ ହୋଇଥିବା ଗଞ୍ଜେଇ ୭୦ କିଲୋ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।ଗିରଫ ଜଣଙ୍କ ହେଲେ ବିହାର ରାଜ୍ୟର ମହେନ୍ଦ୍ର କୁମାର(୩୨) । ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ମୋହନାରୁ ବିହାର ରାଜ୍ୟକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବ ବୋଲି ଖବର ମିଳିବା ପରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେ଼ପୁଟି କମିଶନର ଡ଼ମ୍ବୁରୁଧର ଖଣ୍ଡାଙ୍କ ନିର୍ଦ୍ଧେଶକ୍ରମେ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ ଓ ବିଭାଗୀୟ କର୍ମଚାରୀ ମାନେ ଆଜି ଆସିକା କଲେଜ ଛକ ଠାରେ ଗାଡ଼ି ଯାଞ୍ଚ କରୁଥିଲେ । ଏହି ସମୟରେ ଗୋଟିଏ ହଣ୍ଡା ସିଟି କାର୍ ଦ୍ରୁତଗତି ଆସୁଥିବା ଦେଖି ଅବକାରୀ ଗୁଇନ୍ଦା ବିଭାଗ କର୍ମଚାରୀମାନେ ଉକ୍ତ କାର୍ କୁ ଅଟକାଇ ଯାଞ୍ଚ ବେଳେ କାରର ପଛପଟ ଏକ ସିକ୍ରେଟ ଚାମ୍ବରରୁ ୭୦କିଲୋ ଗଞ୍ଜେଇ ଜବତ କରି କାର୍ ଡ୍ରାଇଭରଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଜବତ କାର୍ ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୭ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ଉପ ଅଧୀକ୍ଷକ କୁବେର ସେଠୀ କହିଛନ୍ତି ।
