ତୀର୍ଥ ଯାତ୍ରୀ ଯୋଜନା ରେ ବନାରସ ଗଲେ ୯୭୦ ବରିଷ୍ଠ ନାଗରିକ ।

Spread the love

ବ୍ରହ୍ମପୁର/ (ପୀବିନ୍ୟୁଜ): ବ୍ରହ୍ମପୁରରୁ ବନାରସ-ପ୍ରୟାଗରାଜକୁ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ । ଆଜି ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନରେ ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥ ଯାତ୍ରା ପାଇଁ ବାହାରିଛି । ବ୍ରହ୍ମପୁର ରେଳ ଷ୍ଟେସନରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନର ଶୁଭାରମ୍ଭ ଅବସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗ ଦେଇଥିଲେ । ଚ୍ୟାଉ ପଟ୍ଟନାୟକଙ୍କ ସହିତ ବ୍ରହ୍ମପୁର ମେୟର, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ସମେତ ବହୁ ମାନ୍ୟଗଣ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ଏହି ୯୭୦ ଜଣ ବରିଷ୍ଠ ନାଗରିକ ମାନେ କିଭଳି ଶାନ୍ତିଶୃଙ୍ଖଳାର ସହିତ ତୀର୍ଥ କରି ପୁଣି ବ୍ରହ୍ମପୁରକୁ ଫେରିବେ ସେ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ହାତକୁ ନିଆଯାଇଥିଲା । ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ଖାଇବା, ପିଇବା ଠାରୁ ଆରମ୍ଭ କରି ବ୍ରହ୍ମପୁରରୁ ବନାରସ ଓ ସେଠାରୁ ପ୍ରୟାଗରାଜ ଯିବା ରାସ୍ତାରେ ଯେଉଁ ସବୁ ମନ୍ଦିର ମାନ ପଡ଼ିବ ସେଠାରେ କିଭଳି ସୁରୁଖୁରୁରେ ବରିଷ୍ଠ ନାଗରିକ ମାନେ ଠାକୁରଙ୍କୁ ଦର୍ଶନ କରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଉ ଏହି ବରିଷ୍ଠ ନାଗରିକ ମାନଙ୍କ ଦେଖାଶୁଣା କରିବା ନିମନ୍ତେ ଟ୍ରେନରେ ୩୦ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଡ଼ାକ୍ତର ଓ ଅନ୍ୟ କର୍ମଚାରୀ ମାନେ ମଧ୍ୟ ରହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହା ହେଉଛି ସବୁଠାରୁ ସୁନ୍ଦର ପରିକଳ୍ପନା । ଯେଉଁ ଗରୀବ ଶ୍ରେଣୀର ବରିଷ୍ଠ ନାଗରିକ ମାନେ ଅର୍ଥ ଅଭାବରୁ ତୀର୍ଥ ଯାତ୍ରା କରିପାରୁନଥିଲେ । ସେମାନେ ଏହି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ବିଭିନ୍ନ ସ୍ଥାନକୁ ଯାଇ ତୀର୍ଥ ଯାତ୍ରା କରିପାରୁଛନ୍ତି ବୋଲି କହିଛନ୍ତି ବ୍ରହ୍ମପୁର ମେୟର । ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରୁ ଆସିଥିବା ବରିଷ୍ଠ ନାଗରିକ ମାନେ ଷ୍ଟେସନରେ ଏକତ୍ରିତ ହୋଇଥିଲେ । ଏହାପରେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲା ଅନୁସାରେ ତୀର୍ଥ ଯାତ୍ରା ଟ୍ରେନର ବିଭିନ୍ନ ବଗିରେ ବସିଥିଲେ ବରିଷ୍ଠ ନାଗରିକ ମାନେ । ବରିଷ୍ଠ ନାଗରିକ ମାନଙ୍କୁ ଟ୍ରେନରେ ବସିବା ପରେ ଖାଦ୍ୟ ପାନୀୟ ପ୍ରଥମେ ଯୋଗାଇ ଦିଆଯାଇଥିଲା । ତେବେ ପୂର୍ବରୁ ତୀର୍ଥ ଯାତ୍ରା ପାଇଁ ଅର୍ଥ ଅଭାବ ଯୋଗୁଁ ଯାଇନଥିଲୁ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇ ଚଳିତ ବର୍ଷ ବନାରସ ଓ ପ୍ରୟାଗରାଜ ଯାତ୍ରା କରିବୁ । ଏହି ରାସ୍ତାରେ ପଡ଼ୁଥିବା ବିଭିନ୍ନ ମନ୍ଦିରକୁ ଦର୍ଶନ କରିବା ସହିତ ବହୁ ସ୍ଥାନକୁ ବୁଲିବା ସହ ବହୁ କଥା ଜାଣିବୁ । ଜୀବନର ଶେଷ ସମୟରେ ଏଭଳି ତୀର୍ଥ ବୁଲିବା ନିମନ୍ତେ ରାଜ୍ୟ ସରକାର ସୁଯୋଗ ଦେବା ସହିତ ମାଗଣାରେ ସୁବିଧା ପ୍ରଦାନ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବରିଷ୍ଠ ନାଗରିକ ମାନେ । ୯୭୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ବ୍ରହ୍ମପୁରରୁ ବନାରସ ଓ ସେଠାରୁ ପ୍ରୟାଗରାଜ ଯାତ୍ରା କରୁଥିବା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଆସନ୍ତା ୨୨ ତାରିଖରେ ପୁଣି ବ୍ରହ୍ମପୁରରେ ପହଞ୍ଚିବ ।

Leave a Reply

Your email address will not be published. Required fields are marked *