ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡଙ୍ଗୀ ଙ୍କ ଆଇନଶୃଙ୍ଖଳା ଓ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଉପରେ ସମୀକ୍ଷା ।
ବ୍ରହ୍ମପୁର(ପିବିନ୍ୟୁଜ୍): ଦକ୍ଷିଣାଞ୍ଚଳ ରେଞ୍ଜ ଅଧୀନ ଜିଲ୍ଲାଗୁଡ଼ିକରେ ଆସନ୍ତା ମାସ ୧୩ ଓ ୨୦ରେ ମତଦାନ ହେବ । ଏଥିପାଇଁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଆଇନଶୃଙ୍ଖଳା ଓ ନିର୍ବାଚନ ସମ୍ପର୍କିତ ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡଙ୍ଗୀ।
ଡିଜିପି ରବିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି କାର୍ଯ୍ୟାଳୟରେ ୫ଟି ପୁଲିସ ଜିଲ୍ଲାର ଏସ୍ପିଙ୍କୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି । ଡିଜି କହିଛନ୍ତି, ନିର୍ବାଚନକୁ କିପରି ଅବାଧ ଓ ମୁକ୍ତ କରାଯିବା ନେଇ ରଣନୀତି ପ୍ରସ୍ତୁତ କରାଯାଇଛି । ମାଓ ଗତିବିଧି ଥିବା ଜିଲ୍ଲା ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ଵିତ କରାଯିବା ସହ ମାଓ ଗତିବିଧି ଉପରେ ପୁଲିସ ବରାବର ନଜର ରଖୁଛି।
ନିର୍ବାଚନ ବେଳେ ପୁଲିଂ ପାର୍ଟି, ବୁଥ୍ ଓ ଭୋଟରଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଦକ୍ଷିଣାଞ୍ଚଳ ରେଞ୍ଜରେ ମୋଟ ୪ହଜାର ୭୨୦ ବୁଥ୍ ରହିଛି। ସେହିପରି ଗତ ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ରେଞ୍ଜରେ ମୋଟ ୪ହଜାର ୩୦୦ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ସେହିପରି ଧାରା ୧୦୭ ଓ ୧୧୦ରେ ପ୍ରାୟ ୧୩ହଜାର ଲୋକଙ୍କ ବିରୋଧ ୪୫୦୦ ମାମଲା ରୁଜୁ ହୋଇ ନୋଟିସ୍ କରାଯାଇଛି। ଏହା ସହିତ ଗଞ୍ଜେଇ କାରାବାର ଉପରେ ଅଙ୍କୁଶ ଲଗାଇବା ପାଇଁ ସ୍ଵତନ୍ତ୍ର ଡ୍ରାଇଭର୍ ଜାରି ରହିଛି । ଏପ୍ରିଲ୍ ପର୍ଯ୍ୟନ୍ତ ପ୍ରାୟ ୩୪୦ କିଣ୍ଡାଲ୍ ଗଞ୍ଜେଇ ଜବତ ହୋଇଥିବା ବେଳେ ବିପୁଳ ପରିମାଣ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ବେଆଇନ ଅର୍ଥ କାରବାର ସହିତ ଅନ୍ୟାନ୍ୟ ଦିଗ ଉପରେ ନଜର ରଖୁବା ପାଇଁ ୨୯ଟି ଷ୍ଟାଟିକ୍ ସଭିଲାନ୍ସ ଟିମ୍ ସହିତ ଫ୍ଲାଇଙ୍ଗ୍ ଷ୍ଟାଡ୍ ରହିଛନ୍ତି। ବିଭିନ୍ନ ସମୟରେ ବେଆଇନ ଭାବେ ନିଆଯାଉଥିବା ଟଙ୍କା ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ଲକ୍ଷ ଟଙ୍କା ଜବତ ହୋଇ ସାରିଲାଣି ବୋଲି ଡିଜି ସୂଚନା ଦେଇଛନ୍ତି।
ମୋବାଇଲ୍ ପାର୍ଟି ସହ ପ୍ରତ୍ୟେକ ଜିଲ୍ଲାରେ କ୍ୟୁଆର୍ଟି ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ରେଞ୍ଜରେ ବର୍ତ୍ତମାନ ୨୦କମ୍ପାନି କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି। ସେହିପରି ଓଡ଼ିଶାରୁ ୨୫ କମ୍ପାନି ଫୋର୍ସ କେନ୍ଦ୍ରକୁ ଦିଆଯାଇଛି । ଯେଉଁମାନେ କି ତାମିଲନାଡୁ ଓ ଅରୁଣାଞ୍ଚଳ ପ୍ରଦେଶରେ ନିର୍ବାଚନ ଡ୍ୟୁଟିରେ ମୁତୟନ ରହିଛନ୍ତି। ଓଡ଼ିଶାରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ଥିବାରୁ ସେମାନେ ଫେରି ଆସିବା ସହିତ କେନ୍ଦ୍ରରୁ କିଛି ଅଧିକ ଫୋର୍ସ ମିଳିବ ବୋଲି ଆଶା କରାଯାଉଛି । ଓଡ଼ିଶା- ଆନ୍ଧ୍ର ସୀମାରେ ଯାଞ୍ଚ କଡାକଡ଼ି କରାଯାଇଛି। ବ୍ରହ୍ମପୁର ଓ ଗଜପତି ଜିଲ୍ଲାରେ ଆନ୍ଧ୍ର ସୀମାରେ ଚେକ୍ପୋଷ୍ଟ କରାଯାଇଛି। ସୋସିଆଲ୍ ମିଡ଼ିଆରେ କୌଣସି ପ୍ରକାର ଗୁଜବ କି ଅପପ୍ରଚାର ନ କରିବାରୁ ଡିଜିପି ଜନସାଧାରଣଙ୍କୁ ଆହ୍ଵାନ କରିଛନ୍ତି । ଏହା ଉପରେ ନଜର ରଖୁବା ପାଇଁ ସୋସିଆଲ୍ ମିଡ଼ିଆ ମନିଟରିଂ ସେଲ୍ ଗଠନ କରାଯାଇଛି ବୋଲି ଡିଜି ସୂଚନା ଦେଇଛନ୍ତି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିଜି(ଆଇନ୍ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଡିଜି(ଅପରେସନ୍) ଦେବଦତ୍ତ ସିଂ, ଗୁଇନ୍ଦା ବିଭାଗ ଆଇଜି ଅନୁପ କୁମାର ସାହୁ, ଗୁଇନ୍ଦା ଡିଆଇଜି କନୱର୍ ବିଶାଲ ସିଂ, ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଜୟନାରାୟଣ ପଙ୍କଜ, ଡିଆଇଜି ତଥା ବ୍ରହ୍ମପୁର ଏସ୍ପି ଡା. ସାର୍ଥକ ଷଡଙ୍ଗୀ, ଗଞ୍ଜାମ ଏସ୍ପି ଜଗମୋହନ ମୀନା, ଗଜପତି ଏସ୍ପି ସ୍ୱାତୀ ଏସ୍. କୁମାର, କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ଓ ବୌଦ୍ଧ ଏସ୍ପି ରାଜ ପ୍ରସାଦ ଉପସ୍ଥିତ ଥିଲେ।

