ପୌରାଚଂଳ ୱାର୍ଡ଼ କ୍ୱାର୍ଡ଼ିନେଟରମାନଙ୍କ ଆଜି ରାଜ୍ୟସାରା ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ।

Spread the love

ତିନି ଦଫା ଦାବିରେ ଆସନ୍ତା ଜୁଲାଇ ୨୯ ବିଧାନସଭା ଅଭିଯାନ

ସହରାଂଚଳର ନାଗରିକମାନଙ୍କୁ ବିଭିନ୍ନ ପ୍ରକାର ସରକାରୀ ସେବା ଓ ସହାୟତା ଯୋଗାଇ ଦେବା ପାଇଁ ମିଶନ୍ ଶକ୍ତି ଗୃଫ୍‌ମାନଙ୍କ ଦ୍ୱାରା ଚୟନ କରାଯାଇଥିବା ୱାର୍ଡ଼ କ୍ୱାର୍ଡ଼ିନେଟରମାନଙ୍କୁ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବିଧିବଦ୍ଧ ଭାବେ କାର୍ଯ୍ୟରେ ନିୟୋଜନ କରାଯାଉନି କିମ୍ବା ଦରମା ଦିଆଯାଉନି ବୋଲି ଅଭିଯୋଗ କରି ଆଜି ସାରା ରାଜ୍ୟରେ ୱାର୍ଡ଼ କ୍ୱାର୍ଡ଼ିନେଟରମାନେ ପ୍ରତିବାଦ କରିଛନ୍ତି । ନିଖିଳ ଓଡ଼ିଶା ପୌର ୱାର୍ଡ଼ କ୍ୱାର୍ଡ଼ିନେଟର ୟୁନିଅନ୍‌ର ଡ଼କରାରେ ଆଜି ଓଡ଼ିଶାର ସବୁ ଜିଲ୍ଲାରେ ୱାର୍ଡ଼ କ୍ୱାଡ଼ିନେଟରମାନେ ବିଭିନ୍ନ ମହାନଗର ନଗମ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ସମ୍ମୁଖରେ ବିକ୍ଷୋଭ କରିବା ସହ ତିନି ଦଫା ଦାବି ନେଇ ନିର୍ବାହୀ ଅଧିକାରୀଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବିପତ୍ର ପ୍ରଦାନ କରିଛନ୍ତି । ଏପରିକି ସେମାନଙ୍କର ଚାକିରୀ ଜନିତ ଅନିଶ୍ଚିତତାକୁ ଦୂର କରି କାର୍ଯ୍ୟରେ ନିୟୋଜିତ କରିବା ଦାବିରେ ଆସନ୍ତା ଜୁଲାଇ ୨୯ ତାରିଖ ଦିନ ବଜେଟ୍ ଅଧିବେଶନ ସମୟରେ ବିଧାନସଭା ଘେରାଉ କରାଯିବ ବୋଲି ଘୋଷଣା କରିଛନ୍ତି ।
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ପ୍ରକାରେ ସହରାଂଚଳର ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇବାକୁ ଚୟନିତ ହେବା ପରେ ୱାର୍ଡ଼ କ୍ୱାର୍ଡ଼ିନେଟରମାନେ ପ୍ରାୟ ଏକ ବର୍ଷ ଧରି ଏକରକମ ଅନିଶ୍ଚିତତା ଓ ମାନସିକ ଚିନ୍ତା ମଧ୍ୟରେ ରହିଛନ୍ତି । ବିଧିବଦ୍ଧ ଭାବେ ଭାବେ କାର୍ଯ୍ୟରେ ନିୟୋଜିତ କରିନଥିଲେ ମଧ୍ୟ ରାଜ୍ୟର ଅନେକ ୟୁଏଲ୍‌ବିରେ ସେମାନଙ୍କୁ ବିଭିନ୍ନ ସରକାରୀ କାମରେ ଅନଔପଚାରିକ ଭାବେ ବିନା ଦରମାରେ ମାସ ମାସ ଧରି ନିୟୋଜିତ କରିଛନ୍ତି । ୟୁଏଲ୍‌ବି ପକ୍ଷରୁ ହୋଲଡ଼ିଂ ଟିକସ ଆଦାୟ ଠାରୁ ଆରମ୍ଭ କରି ନୂତନ ଭୋଟର ପରିଚୟ ପତ୍ର ଓ ରାସନ କାର୍ଡ଼ ପ୍ରସ୍ତୁତି, ଟ୍ରେଡ଼୍ ଲାଇସେନ୍ସ୍‌, ମାସିକ ଭତା ବଂଟନ, ନୂତନ ଏସ୍‌ଏଚ୍‌ଜି ଗଠନ, ଏସ୍‌ଏଚ୍‌ଜି ଗୃଫ୍‌ମାନଙ୍କର ଡ଼ାଟା ଏଂଟ୍ରି, ପରିମଳ ଅନୁଧ୍ୟାନ, ଷ୍ଟ୍ରିଟ୍ ଲାଇଟ୍ ଅନୁଧ୍ୟାନ, ଗ୍ରେ ୱାଟର ନୋଟିସ୍ ବଂଟନ, ପିଏଚ୍‌ଡ଼ି ପାଣି ସଂକ୍ରାନ୍ତୀୟ ତଥ୍ୟ ପ୍ରଦାନ, ଆଇଏଚ୍‌ଏଲ୍ ସର୍ଭେ ଆଦି ବିଭିନ୍ନ ପ୍ରକାର ସରକାରୀ ସେବାରେ ନିୟୋଜିତ କରାଯାଉଥିଲେ ସେମାନଙ୍କୁ ପ୍ରତିମାସରେ ନିଜର ନିର୍ଦ୍ଧାରିତ ଦରମା ବା ପାରିତୋଷିକ କଥା ଛାଡ଼ନ୍ତୁ ଟଙ୍କାଟିଏ ବି ଦିଆଯାଉନି । ୟୁଏଲବିର ନିର୍ବାହୀ ଅଧିକାରୀମାନେ ତୁମର ଦରମା ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ବା ଚିଠି ଆସିନି ବୋଲି କହି ଏଡ଼େଇ ଚାଲିଛନ୍ତି । ଏଭଳି ପରିସ୍ଥିତିରେ ୱାର୍ଡ଼ କ୍ୱାର୍ଡ଼ିନେଟର ଭାବେ ନିୟୋଜିତ ରାଜ୍ୟର ସହସ୍ରାଧିକ ଶିକ୍ଷିତ ଯୁବତୀ ନିଜର ୟୁନିଅନ୍ ମାଧ୍ୟମରେ ଗତମାସରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନି । ଏହି ପରିପ୍ରେକ୍ଷୀରେ ସେମାନେ ନିଜର ନ୍ୟାୟସଙ୍ଗତ ଦାବିକୁ ପୁଣିଥରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଚଳିତ ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ଅର୍ଥାତ୍ ତା.୨୯.୦୭.୨୦୨୪ ରିଖ ଦିନ “ବିଧାନସଭା ଚାଲ” ଅଭିଯାନର ଡ଼ାକରା ଦେବାକୁ ବାଧ୍ୟ ହୋଇଛନ୍ତି । ଏଥିରେ ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାର ବିଭିନ୍ନ ପୌରାଂଚଳ ଦ୍ୱାରା ଚୟନ ହୋଇଥିବା ହଜାର ହଜାର ୱାର୍ଡ଼ କ୍ୱାର୍ଡ଼ିନେଟର ଯୋଗଦେଇ ନିଜର ଦାବୀ ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଚଳାଇ ରଖିବେ । ତା’ପୂର୍ବରୁ ଆଜି ୟୁନିଅନ୍ ପକ୍ଷରୁ ସାରା ରାଜ୍ୟର ପୌରାଂଚଳରେ ଥିବା ଏନ୍‌ଏସି, ପୌରପାଳିକା ଓ ମହାନଗର ନିଗମ ସମ୍ମୁଖରେ ନିଜ ଦାବୀ ସପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରି କମିଶନରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ନିଜର ଦାବୀକୁ ମନେପକାଇ ଦେବାକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଓ୍ଵାର୍ଡ କ୍ଵାର୍ଡିନେଟରମାନଙ୍କ ଦାବୀ ସମୂହ :
୧) ରାଜ୍ୟର ସମସ୍ତ ୟୁଏଲ୍‌ବିର ୱାର୍ଡ଼ କ୍ୱାର୍ଡ଼ିନେଟରମାନଙ୍କୁ ତୁରନ୍ତ ବିଧିବଦ୍ଧ ଭାବେ ଆମ ପାଇଁ ନିର୍ଦ୍ଧାରିତ କାମରେ ନିୟୋଜିତ କରାଯାଉ ।
୨) ୱାର୍ଡ଼ କ୍ୱାର୍ଡ଼ିନେଟରମାନଙ୍କ ଦରମା ସମ୍ପର୍କରେ ରହିଥିବା ସମସ୍ତ ଅସ୍ପଷ୍ଟତାକୁ ଦୂର କରି ପ୍ରତିମାସରେ ଆମର ନିର୍ଦ୍ଧାରିତ ଦରମାକୁ ନିୟମିତ ଭାବେ ପ୍ରଦାନ କରାଯାଉ ।
୩) ଯେଉଁ ୟୁଏଲବିମାନେ ପୂର୍ବରୁ ୱାର୍ଡ଼ କ୍ୱାର୍ଡ଼ିନେଟରମାନଙ୍କୁ କାମରେ ନିୟୋଜିତ କରି କୌଣସି ପାରଶ୍ରମିକ ବା ଦରମା ଦେଇନାହାନ୍ତି, ସେମାନଙ୍କୁ ତୁରନ୍ତ ନିଜସ୍ୱ ପାଣ୍ଠିରୁ ଉପରୋକ୍ତ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଉ । ଆଜିର ବିକ୍ଷୋଭରେ ସଂଗୀତା ଦାସ, ଗାୟତ୍ରୀ ବାଡତ୍ୟା, କୁନି ବେହେରା, ପ୍ରିୟଙ୍କା ଦାସ, ବିଜୟ ଦାସ, ସଂଧ୍ୟା ପଟ୍ଟନାୟକ, ସୁଚିତ୍ରା ନାୟକ, ମଞ୍ଜରୀ ପଟ୍ଟନାୟକ, ସ୍ୱର୍ଣ୍ଣଲତା ବେହେରା, ରଶ୍ମିତା ପାତ୍ର ପ୍ରମୁଖ ଓ୍ଵାର୍ଡ କ୍ଵାର୍ଡିନେଟର୍ ଯୋଗ ଦେଇଥିଲେ ।
ଧନ୍ୟବାଦ ସହ
ନିଖିଳ ଓଡ଼ିଶା ପୌର ୱାର୍ଡ଼ କ୍ୱାର୍ଡ଼ିନେଟର ୟୁନିଅନ୍‌
ତାରିଖ : ୨୨.୦୭.୨୦୨୪

Leave a Reply

Your email address will not be published. Required fields are marked *