୨୪୦ କିଲୋ ଗଞ୍ଜେଇ ଜବତ ଜଣେ ଗିରଫ
ବ୍ରହ୍ମପୁର,(ପିବିନ୍ୟୁଜ୍)୫/୨/୨୩/ ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଛି ବଡ଼ ସଫଳତା । ଅବକାରୀ ଗୁଇନ୍ଦା ବିଭାଗ ଆଜି ବ୍ରହ୍ମପୁର ଉପକଣ୍ଠ ପୁକୁଡି ବନ୍ଦ ଜାତୀୟ ରାଜପଥ ନିକଟରୁ ଗୋଟିଏ ଟ୍ରକରୁ ୨୪୦କିଲୋ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଜଣଙ୍କ ହେଲେ ଉତ୍ତରପ୍ରଦେଶର ମହମ୍ମଦ ରିୱାଜ୍ । ସୂଚନାପ୍ରକାରେ ଗଜପତି ଜିଲ୍ଲା ମୋହନାରୁ ଉତ୍ତରପ୍ରଦେଶ ରାଜ୍ୟକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବ ବୋଲି ଖବର ମିଳିବା ପରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେ଼ପୁଟି କମିଶନର ଡ଼ମ୍ବୁରୁ ଧର ଖଣ୍ଡାଙ୍କ ନିର୍ଦେଶକ୍ରମରେ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ ଓ ବିଭାଗୀୟ କର୍ମଚାରୀ ମାନେ ଆଜି ଭୋରୁ ୪ଟା ବେଳେ ପୁକୁଡି ବନ୍ଦ ଜାତୀୟ ରାଜପଥ ନିକଟରେ ଛକି ରହିଥିଲା । ଗଞ୍ଜେଇ ମାଫିଆ ୟୁପି-୨୧-ବିଏନ-୧୫୮୫ ନମ୍ବର ଥିବା ଏକ ଟ୍ରକରେ ୨୪୦ କେଜି ଗଞ୍ଜେଇ ଧରି ବ୍ରହ୍ମପୁର ସହର ଦେଇ ଜାତୀୟ ରାଜପଥ ୧୬ ହୋଇ ଉତ୍ତରପ୍ରଦେଶ ଆଭିମୁଖେ ଯାଉଥିଲେ । ଅବକାରୀ ବିଭାଗ କର୍ମଚାରୀମାନେ ଉକ୍ତ ଟ୍ରକ ନିକଟକୁ ଅଟକାଇ ଯାଞ୍ଚ କରିଥିଲେ । ଯାଂଚ ବେଳେ ଟ୍ରକ ଭିତରେ ଥିବା ସିକ୍ରେଟ ଚାମ୍ବରରୁ ୬୦ଟି ପ୍ୟାକେଟରେ ୪୦ କିଲୋ ଲେଖାଏଁ ସମୁଦାୟ ୨୪୦ କିଲୋଗଞ୍ଜେଇ ରହିଥିବା ଜଣାପଡିଥିଲା । ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସମସ୍ତ ଗଂଜେଇ ଓ ସେହି ଟ୍ରକକୁ ଜବତ କରାଯାଇଥିଲା । ଜବତ ଟ୍ରକ ଓ ଗଂଜେଇର ଆନୁମାନିକ ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେ଼ପୁଟି କମିଶନର ଡ଼ମ୍ବୁରୁ ଧର ଖଣ୍ଡା କହିଛନ୍ତି । ଚଡ଼ଉ ବେଳେ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ,ସୁଶାନ୍ତ କୁମାର ମହାଙ୍କୁଡ,କେଦାର ନାଥ ନାୟକ, ବଳରାମ ସ୍ୱାଇଁ, ବିଶ୍ୱନାଥ ପେଣ୍ଠେଇ, ଶୁଭମ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଥିଲେ ।