ବ୍ରହ୍ମପୁର ଛାଡିଲା କ୍ରାଇମବ୍ରାଞ୍ଚ ଟିମ

Spread the love


ବ୍ରହ୍ମପୁର,(ପିବିନ୍ୟୁଜ୍)୫/୨/୨୩/: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ କରିବା ଘଟଣାରେ ୫ ଦିନ ଧରି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବା ପରେ ଆଜି ବ୍ରହ୍ମପୁର ଛାଡ଼ିଛି କ୍ରାଇମବ୍ରାଞ୍ଚ ଟିମ । ଗତ ୩୧ ତାରିଖରେ କ୍ରାଇମବ୍ରାଞ୍ଚ ଟିମ ବ୍ରହ୍ମପୁର ଉପକଣ୍ଠ ଜଳେଶ୍ବରଖଣ୍ଡିରେ ପହଞ୍ଚିଥିଲା । ଜଳେଶ୍ବରଖଣ୍ଡିରେ ଗୋପାଳଙ୍କ ପୈତୃକ ଘର ରହିଥିବା ବେଳେ ସେଠାରେ ଗୋପାଳଙ୍କ ପତ୍ନୀ ଓ ତାଙ୍କ ପରିବାର, ଗୋପାଳଙ୍କ ଭାଇ ସତ୍ୟ ନାରାୟଣ ଓ ତାଙ୍କ ପରିବାରକୁ ପଚରାଉଚରା କରିଥିଲା । ୩୧ ତାରିଖ ଅପରାହ୍ନ ୫ଟାରେ ଗୋପାଳଙ୍କ ଭାଇ ସତ୍ୟ ନାରାୟଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ଗାଁରୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ରଖି ତିନି ଦିନ ଧରି ପଚରାଉଚରା କରିଥିଲା । ଏହାପରେ ଗତ ୨ ତାରିଖ ରାତିରେ ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କୁ ତାଙ୍କ ଗାଁରେ ଛାଡ଼ିଥିଲା ଏହାସହିତ କିଛି ଗ୍ରାମବାସୀ, ଗୋପାଳଙ୍କ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଏହାପରେ ଗୋପାଳଙ୍କ ନିଜସ୍ବ ବାସଭବନ ଶିଳ୍ପାଞ୍ଚଳରେ ପହଞ୍ଚି ସେଠାରେ ମଧ୍ୟ ଅଧିକ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ । ଘରର କାଗଜପତ୍ର ଯାଞ୍ଚ, ଗୋପାଳଙ୍କ ସ୍ବାସ୍ଥ୍ୟ ସମ୍ବର୍ନ୍ଧୀୟ ସମସ୍ତ କାଗଜପତ୍ର ଏବଂ ଆକାଉଣ୍ଟ ମଧ୍ୟ ଯାଞ୍ଚ କରିଥିଲା । ଏହାପରେ ବ୍ରହ୍ମପୁରରୁ ଝାରସଗୁଡ଼ା ଯାଉଥିବା ଓଏସଆରଟିସି ଓ ଘରୋଇ ବସର କର୍ମଚାରୀଙ୍କୁ ମଧ୍ୟ ବିଭିନ୍ନ ଦିଗକୁ ନେଇ ନୂଆ ବସଷ୍ଟାଣ୍ଡ ଫାଣ୍ଡିରେ ପଚରାଉଚରା କରିଥିଲେ । ସେହିପରି ଗତକାଲି ମଧ୍ୟ ଗୋପାଳଙ୍କ ନିଜସ୍ବ ଘରେ ଗୋପାଳଙ୍କ ପତ୍ନୀଙ୍କୁ ପଚରାଉଚରା କରିବା ପରେ ବ୍ୟାଙ୍କରେ ମଧ୍ୟ ଗୋପାଳ ଓ ତାଙ୍କ ପରିବାରର ଆକାଉଣ୍ଟକୁ ନେଇ ପଚରାଉଚରା କରିଥିଲା । ଗତ ପାଞ୍ଚ ଦିନର ପଚରାଉଚରାରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି । ଗୋପାଳଙ୍କ ସମ୍ପର୍କରେ ପଚରାଉଚରାକୁ ନେଇ ସନ୍ତୁଷ୍ଟ । ଗୋପାଳଙ୍କ ଗୁଳିମାଡ଼ ଘଟଣାକୁ ନେଇ ଯେଉଁ ସବୁ ଲୋକେ ଆସିବେ ସେମାନଙ୍କୁ ମଧ୍ୟ ପଚରାଉଚରା କରାଯିବ । ଯଦି ଆବଶ୍ୟକ ପଡ଼େ ତେବେ ପୁଣି ବ୍ରହ୍ମପୁରକୁ ଆସି ଅଧିକ ଖୋଳତାଡ଼ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡ଼ିଏସପି ଶିଶିର ମିଶ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *