ଦେଶରେ ତିନିଟି ଶ୍ରେଷ୍ଠ ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା,
ଆସିକା ଥାନା ପୁଲିସକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର,୬/୧/୨୩/:ଦେଶରେ ତିନିଟି ଶ୍ରେଷ୍ଠ ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା । କେନ୍ଦ୍ର ଗୃହ ମନ୍ତ୍ରାଳୟ ଆସିକା ଥାନାକୁ ଶ୍ରେଷ୍ଠ ଥାନା ଭାବେ ଚୟନ କରିଥିବା ଅତିରିକ୍ତ ଡିଜି (ଆଇନଶୃଙ୍ଖଳା) ପକ୍ଷରୁ ଏକ ଚିଠି ଯୋଗେ ଗଞ୍ଜାମ ଏସ୍ପିଙ୍କୁ ଜଣାଇଛନ୍ତି । ଚଳିତ ମାସ ୨୦ତାରିଖରେ ଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ଥାନା ଆଇଆଇସିଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀ ଏକ ଟ୍ରଫି ଦେଇ ସମ୍ମାନିତ କରିବେ । ଆସନ୍ତା ୧୯ତାରିଖ ସୁଦ୍ଧା ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ ୟୁନିଫର୍ମ ସହ କ୍ରସ୍ ବେଲ୍ଟ ପରିଧାନ କରି ଅନୁଷ୍ଠିତ ହେବାକୁ ଥବା ଟ୍ରଫି ଗ୍ରହଣ ପାଇଁ ରିହର୍ସଲରେ ଉପସ୍ଥିତ ରହିବାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି ଗଞ୍ଜାମ ଏସପି । ଦେଶର ତିନିଟି ଥାନା ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାର ଆସିକା ଥାନା ରହିବା ନିହାତି ଭାବେ ଗୌରବ କଥା । ସାରା ଦେଶରେ ଆସିକା ଥାନାକୁ ଶେଷ୍ଠ ଥାନା ଭାବେ ବିବେଚିତ ହୋଇଥିବା ଯୋଗୁଁ ଏହା ମୋ ପାଇଁ ଏବଂ ଆମ ପୁଲିସ ଜିଲ୍ଲା ପାଇଁ ଗୌରବମୟ ବିଷୟ ବୋଲି ଗଞ୍ଜାମ ଏସପି କହିଛନ୍ତି । ଏସପିଙ୍କ ତାଗିତ ଓ ଅପରାଧ ନିୟନ୍ତ୍ରଣରେ ଅପଡ଼େଟ୍ ରହିବା ପ୍ରେରଣା ମୋତେ ଏ ସ୍ଥାନରେ ପହଞ୍ଚାଇଛି ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁଲିସ ଓ ଆସିକା ଥାନା ପୁଲିସକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ସମ୍ମାନ ରାଜ୍ୟର ଅନ୍ୟ ଥାନା ଗୁଡ଼ିକୁ କାମ କରିବାର ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ଉଲ୍ଲେଖ କରିଛନ୍ତି। ସାରା ଦେଶର ଥାନାମାନଙ୍କୁ ନେଇ କେନ୍ଦ୍ର ଗୃହ ବିଭାଗ ଏକ ସର୍ଭେ କରିଥିଲା । ଏଥିରେ ସ୍ୱଚ୍ଛତା ସିଟିଟିଏନ୍ଏସ୍ ପଞ୍ଜିକରଣ ଅପରାଧ ନିୟନ୍ତ୍ରଣ,ଠିକ ସମୟରେ ଚାର୍ଜସିଟ ଦାଖଲ, ସହ ଚୋରି ଡକାୟତି ରୋକିବା ଉପରେ ଏବଂ ଜନସାଧାରଣଙ୍କ ମତାମତ ଓ ବହୁ ମାନ ଦଣ୍ଡକୁ ନେଇ ଏହି ସର୍ଭେ ହୋଇଥିଲା । ଉଲ୍ଲେଖଯୋଗ୍ୟ, ୨୦୨୨ମସିହାରେ ଡିସେମ୍ବର ୨୬ ପର୍ଯ୍ୟନ୍ତ ଆସିକା ଥାନା ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଥିଲା । ଆସିକା ପ୍ରଗତି ଡ୍ୟାସ ବୋର୍ଡ଼ରେ ୯୪.୫୪ ସଫଳତା ପାଇଲେ । ସର୍ବଶ୍ରେଷ୍ଠ ସ୍ଥାନ ଭାବେ ବିବେଚିତ କରିବା ପାଇଁ କେନ୍ଦ୍ରଗୃହ ମନ୍ତ୍ରଣାଳୟ ପକ୍ଷରୁ ସିସିଟିଏନ୍ଏସ୍, ପୁଲିସର ଇ-ଗଭରନାନ୍ସକୁ ଭିତ୍ତି କରି ବିଭିନ୍ନ ମାନଦଣ୍ଡର ଯାଞ୍ଚ କରାଯାଇଥିଲା। ଯେପରିକି ଜୁଆଖେଳ ମାମଲା, ବେଆଇନ ଅସ୍ତ୍ରଶସ୍ତ୍ର ମାମଲା, ଅବକାରୀ ମାମଲା, ଅପମୃତ୍ୟୁ ମାମଲା, ପାସପୋର୍ଟ ଇସ୍ୟୁ, ଅସ୍ତ୍ରଶସ୍ତ୍ର ଯାଞ୍ଚ ଭଳି ଅନେକ ବିଷୟ ଉପରେ ଅନୁଧ୍ୟାନ କରାଯାଇଥିଲା। ଏହିସବୁ ମାମଲା ଗୁଡ଼ିକରେ ଆସିକା ଥାନା ପୁଲିସ ଅତି ଉଲ୍ଲେଖନୀୟ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏମିତିକି ଅନ୍ୟ ପୁଲିସ ଥାନା ତୁଳନାରେ ଆସିକା ପୁଲିସ ସାଧାରଣଲୋକଙ୍କୁ ପ୍ରଂଶସନୀୟ ସେବା ଯୋଗାଇଆସୁଛି। ଲଗାତାର ଦ୍ଵିତୀୟ ବର୍ଷ ପାଇଁ ଗଞ୍ଜାମ ଜିଲ୍ଲାର ଏକ ପୋଲିସ ଷ୍ଟେସନ ଶ୍ରେଷ୍ଠ ତିନି ଥାନା ମଧ୍ୟରେ ସ୍ଥାନ ପାଇଛି । ୨୦୨୧ ମସିହାରେ ଗାଙ୍ଗପୁର ପୋଲିସ ଷ୍ଟେସନ ଏହି ଟ୍ୟାଗ୍ ଜିତି ଥିଲା । ୨୦୨୩ ବର୍ଷ ଗଞ୍ଜାମ ଜିଲ୍ଲାର ଆସିକା ଥାନା ସାରା ଦେଶରେ ପରିଚିତ କରାଇବାରେ ମୋତେ ପ୍ରେରଣା ଦେଇଥିବାରୁ ଥାନା ଅଧିକାରୀ ଶ୍ରୀ ସାହୁ ଏସପିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଅଭିଯାନକୁ ଦୃଷ୍ଟିରେ ରଖି ଥାନା ଅଧିକାରୀ ଶ୍ରୀ ସାହୁ କର୍ତ୍ତବ୍ୟନିଷ୍ଠ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ସେ ତାଙ୍କ ଥାନାରେ ‘ପିପୁଲ ଫ୍ରେଣ୍ଡ୍ଲି’ ଅଭ୍ୟର୍ଥନା ପ୍ରକୋଷ୍ଠ, ଥାନାକୁ ଆସୁଥିବା ଶିଶୁଙ୍କ ପାଇଁ ପାର୍କ, ମହିଳା ଓ ଶିଶୁ ଡେସ୍କ, ଥାନା ପରିସରରେ ପିଇବା ପାଣି ବ୍ୟବସ୍ଥା, ସାନିଟାରି ବ୍ୟବସ୍ଥା, ଥାନା ଅଧିନରେ ଥିବା ଗାଁ ଗୁଡ଼ିକରେ ‘ଆମ ପୁଲିସ ସମିତି’ ଏବଂ ଥାନା ଅଧିକାରୀ ଓ କର୍ମଚାରୀଙ୍କ ଲୋକଙ୍କ ପ୍ରତି ଥିବା ଉତ୍ତମ ବ୍ୟବହାର ପ୍ରଦର୍ଶନ ଯୋଗୁ ଆସିକା ଥାନା ଆଜି ଏହି ସ୍ଥାନରେ ପହଞ୍ଚିପାରିଛି।
