ଚୌଧୁରୀ ଟିକରପଡା ଭିନ୍ନକ୍ଷମ ଯୁବତୀ ହତ୍ୟା ଘଟଣା; ମୃତ ଯୁବତୀଙ୍କ ପଡୋଶୀ ଘରର ମହିଳା ଓ ତାଙ୍କ ପ୍ରେମିକ ଗିରଫ ,ପରକିୟା ପ୍ରୀତି ଧରାପଡ଼ିବାରୁ ତକିଆ ପକାଇ ମାରିଦେଲେ

Spread the love

ବ୍ରହ୍ମପୁର,୧୮/୧/୨୩ : କେ.ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମରେ ଅନୈତିକ ସମ୍ପର୍କ ଧରାପଡିଯିବା ଭୟରେ ଭିନ୍ନକ୍ଷମ ଯୁବତୀ ବିଷ୍ଣୁପ୍ରୀୟା ସାହୁଙ୍କୁ ତକିଆ ପକାଇ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତ ଗିରଫ କରିବା ସହ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ଆଜି ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ୍ ତାଙ୍କ କାର୍ଯ୍ୟାଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ମୃତ ଯୁବତୀଙ୍କ ପଡୋଶୀ ଘରର ଅଭିଯୁକ୍ତ ମହିଳା ରୁବିତା ଅଧିକାରୀ(୪୫) ଓ ତାଙ୍କ ପ୍ରେମିକ ପଦ୍ମନ ସାହୁ(୩୦) ଗିରଫ କରି ପୁଲିସ ଆଜି କୋର୍ଟଚାଲାଣ କରିଛି । ପୁଲିସ ଏହି ଘଟଣାରେ ମୃତ ଯୁବତୀ ପିନ୍ଧିଥିବା ମୁଣ୍ଡର କ୍ଲିପ୍‌, ଭଙ୍ଗାଚୁଡି, ସାଲ୍ ଓ ଅଭିଯୁକ୍ତ ରୁବିତାଙ୍କ ଘରୁ ରକ୍ତଭିଜା ତକିଆ ସହ ବେଡସିଟ୍‌କୁ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ବିଷ୍ଣୁପ୍ରୀୟା ଜଣେ ଭିନ୍ନକ୍ଷମ ଯୁବତୀ । ସେ ଅବିବାହିତ ଥିଲେ । ତେଣୁ ବାପ ଘରେ ଦିନ ସମୟରେ ରହୁଥିବା ବେଳେ ରାତି ସମୟରେ ତାଙ୍କ ଘର ସମ୍ମୁଖରେ ରହୁଥିବା ସାନ ଭଉଣୀଙ୍କ ଘରକୁ ଶୋଇବା ପାଇଁ ଯାଉଥିଲେ । ଚଳିତମାସ ୮ ତାରିଖରେ ବିଷ୍ଣୁ ଘରୁ ନିଖୋଜ ହେବା ପରେ ୯ ତାରିଖ ରାତି ୧୧ଟା ବେଳେ ତାଙ୍କ ମୃତଦେହ ପଡୋଶୀ ଘରର ବାରିପଟ ବରଣ୍ଡାରେ ପଡିଥିଲା । ଏ ନେଇ ସ୍ଥାନୀୟ ଲୋକେ କେ ନୂଆଁ ପୁଲିସକୁ ଖବର ଦେଇଥିଲେ । ଖବରପାଇ କେ ନୂଆଁ ପୁଲିସ ଘଟଣା ସ୍ଥଳରେ ପହଁଚି ଘଟଣା ସମ୍ପର୍କରେ ଉକ୍ତ ଗ୍ରାମବାସୀଙ୍କୁ ପଚାରଉଚାରା କରିଥିଲେ । ପରେ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ପୁଲିସର ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ପହଞ୍ଚି ଆଖପାଖରୁ ବିଭିନ୍ନ ସାମଗ୍ରୀ ଜବତ କରିଥିଲା । ମୃତ ବିଷ୍ଣୁପ୍ରିୟା ୮୦ ପ୍ରତିଶତ ଭାବେ ମାନସିକ ଅନଗ୍ରସର ହୋଇଥିବା ବେଳେ ସେ ପ୍ରତ୍ୟେକ ଦିନ ଭଳି ୮ତାରିଖରେ ମଧ୍ୟ ତାଙ୍କ ସମ୍ମୁଖରେ ଥିବା ନିଜ ସାନ ଭଉଣୀ ଘରକୁ ଶୋଇବାକୁ ଯାଉଥିଲେ ।ଏହି ସମୟରେ ବିଷ୍ଣୁପ୍ରିୟାଙ୍କ ପଡେଶୀ ଘର ତଥା ଅଭିଯୁକ୍ତ ମହିଳା ରୁବିତାଙ୍କ ଘରକୁ ଅଭିଯୁକ୍ତ ପ୍ରେମିକ ପଦ୍ମନ ଆସିଥିବା ସେ ଦେଖିଥିଲେ । ଉଭୟଙ୍କ ଅନୈତିକ ସମ୍ପର୍କ ବିଷୟରେ ବିଷ୍ଣୁପ୍ରିୟା ଜାଣିଦେଇଥିଲେ । କାଳେ ବିଷ୍ଣୁପ୍ରିୟା ଅନୈତିକ ସମ୍ପର୍କ ବିଷୟରେ ଗ୍ରାମାବସୀଙ୍କୁ କହିଦେବେ ଭୟ କରି ଦୁଇ ଅଭିଯୁକ୍ତ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ । ସେହିକ୍ରମରେ ରୁବିତା ନିଜ ଘରକୁ ବିଷ୍ଣୁପ୍ରିୟାଙ୍କୁ ଡାକି ନେଇ ତାଙ୍କୁ ଖଟ ଉପରେ ପକାଇବା ସହ ମୁହଁରେ ତକିଆ ଦେଇ ମାଡି ବସିଥିଲେ । ଏଥିରେ ପ୍ରେମିକ ପଦ୍ମନ ପ୍ରେମିକା ରୁବିତାଙ୍କୁ ସହଯୋଗ କରିଥିଲେ । ବିଷ୍ଣୁପ୍ରିୟା ମରିଯିବା ପରେ ରୁବିତା ୯ ତାରିଖ ଦିନ ସାରା ତାଙ୍କ ମୃତଦେହକୁ ନିଜ ଘର ଭିତରେ ହିଁ ଲୁଚାଇ ରଖିଥିଲେ । ଆଉ ରାତି ୧୧ଟା ବେଳେ ପଡୋଶୀ ଗୋବିନ୍ଦ ସାହୁଙ୍କ ଘର ପଛପଟ ବାରଣ୍ଡାରେ ପକାଇ ଦେଇଥିଲେ । ଏହାପର ଦିନ ରୁବିତା ଗାଁ ଛାଡି ଭୁବନେଶ୍ୱର ଚାଲିଯାଇଥିଲେ । ରୁବିତା ଭୁବେନଶ୍ବରରେ ରହୁଥିବା ବେଳେ ମଝିରେ ମଝିରେ ଗାଁକୁ ଆସୁଥିଲେ । ଏହି ଘଟଣାର ଫର୍ଦାଫାର୍ସ କରିବା ପାଇଁ ପୁଲିସ ଉକ୍ତ ଗ୍ରାମରେ ଏହି ଘଟଣା ପରଠାରୁ କେଉଁମାନେ ଉକ୍ତ ଗ୍ରାମରେ ନାହାନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରିଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ଦିଗରୁ ତଦନ୍ତ ବେଳେ ପୁଲିସ ଉକ୍ତ ଗ୍ରାମର ଅଭିଯୁକ୍ତ ମହିଳା ରୁବିତା ନଥିବା ଜାଣିବାକୁ ପାଇଥିଲା । ପରେ ପୁଲିସ ରୁବିତାଙ୍କୁ ଭୁବନେଶ୍ୱରରେ କାବୁ କରି
ଟିକରପଡା ଗ୍ରାମକୁ ଆଣି ପଚରାଉଚରା କରିଥିଲା । ଏହାପରେ ତାଙ୍କ ପ୍ରେମିକ ପଦ୍ମନଙ୍କୁ କାବୁ କରାଯାଇଥିଲା । ଉଭୟଙ୍କୁ ମୁହାଁମୁହିଁ ଜେରା କରିବା ସହ ମହିଳାଙ୍କ ଘରକୁ ଯାଂଚ କରିଥିଲା । ଘଟଣାସ୍ଥଳରୁ ପୁଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ସାମଗ୍ରୀ ଜବତ କରିଥିଲା । ଉଭୟେ ପୁଲିସ ନିକଟରେ ପୁରା ଘଟଣାର ଡେମୋ ଦେଖାଇଥିଲେ । ପୁଲିସ ପୁରା ଘଟଣାକୁ ତନ୍ନତନ୍ନ କରି ଯାଂଚ କରିବା ପରେ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବ୍ରହ୍ମପୁର ଏସପି ଶ୍ରୀ ବିବେକ ଏମ କହିଛନ୍ତି ।

Leave a Reply

Your email address will not be published. Required fields are marked *