17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦଘାଟିତ।ନାରୀ ଅସ୍ତିତ୍ୱର କଥା କହିଲା ନାଟକ”କୂଳବଧୁ” ।
ବ୍ରହ୍ମପୁର-(ପିବିନ୍ୟୁଜ୍)-ଓଡିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ନାଟକ ସମାରୋହ ସମିତି ବ୍ରହ୍ମପୁର ଦ୍ୱାରା ଆୟୋଜିତ 17ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ବୁଧବାର ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଉଦଘାଟିତ ହୋଇଯାଇଛି । ଓଡିଶା ନାଟକ ସମାରୋହ ସମିତିର ସଭାପତି ଅନିଲ କୁମାର ପାତ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଟ୍ୟକାର ମେଜର ରମା ରମଣ ପାଢ଼ୀ, ସାହିତ୍ୟ ଓ କଳାପ୍ରେମୀ ଇଂ.ଯାମିନି କାନ୍ତ ଦାସ,,ଅନୁଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ମହାଙ୍କୁଡ଼ ,ଉପସଭାପତି ଡ଼.ସନ୍ୟାସୀ ମହାରଣା ,ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୂଖ ମଂଚାସୀନ ଥିଲେ । ଓଡିଶା ନାଟକ ସମାରୋହ ସମିତିର ସମ୍ପାଦକ ରାଜ ଗୋପାଳ ପାଢ଼ୀ, ଅତିଥି ଆବାହନ ସ୍ୱାଗତ ଭାଷଣ ସହ ନାଟକ ମହୋତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ଖୋର୍ଦ୍ଧା ଇନ୍ଦ୍ରଧନୁ ଥିଏଟର ନାଟ୍ୟସଂସ୍ଥା ତରଫରୁ ପରିବେଷିତ ନାଟକ”କୂଳବଧୁ” ଉପସ୍ଥିତ ଦର୍ଶକଙ୍କୁ ନାରୀ ଅସ୍ତିତ୍ୱର କରୁଣ କାହାଣୀ କହିଥିଲା । ଜଣେ ପତିତାର ଝିଅ ଜଣେ ସମ୍ବ୍ରାନ୍ତ ପରିବାରର ବୋହୂର ମିଛ ମିଛିକା ଅଭିନୟ କରେ । ଏହା ଜଣାପଡିବା ପରେ ତାକୁ ସହିବାକୁ ପଡେ ନିନ୍ଦା,ଅପବାଦ ଆଉ ଲାଂଛନା । ବୋହୂର ଅଭିନୟ ସରିବା ପରେ କଣ ହୁଏ ପଦ୍ମାର ? ତାର ତ୍ୟାଗ ଓ ପ୍ରତିଦାନ ବଦଳରେ ତାକୁ କଣ ମିଳେ ? ସତରେ କଣ ତାକୁ ବୋହୂର ସ୍ବୀକୃତି ମିଳିବ ନା ସେ ନିନ୍ଦା ଅପବାଦ ନେଇ ହିଁ ବଞ୍ଚିବ ? ଏମିତି କିଛି ବଳିଷ୍ଠ କଥାବସ୍ତୁକୁ ନେଇ ନାଟକ”କୂଳବଧୁ” ସୁନ୍ଦର ବାର୍ତ୍ତା ଦେଇ ଦର୍ଶକଙ୍କୁ ଆନ୍ଦୋଳିତ କରିଥିଲା । କୁଞ୍ଜ ବିହାରୀ ନନ୍ଦଙ୍କ ରଚିତ ଏହି ନାଟକକୁ ଶ୍ରୀବତ୍ସ ମହାନ୍ତି ନିର୍ଦ୍ଦେଶନା ଦେଇଛନ୍ତି । ସଂଗୀତରେ ବିନୟ ଦାସ ରହିଥିବା ବେଳେ ନାଟକରେ ବାମଦେବ,ବିଶ୍ଵଜିତ,ହୃଷିକେଶ,କାଂଚନ, ବୁବୁନା, ଦୀପକ,ପ୍ରତ୍ୟୁଲ୍ୟ,ପ୍ରଜ୍ଞା,ସୁନିଲ,ସତ୍ୟନାରାୟଣ ଓ ଦୀପାଞ୍ଜଳି ପ୍ରମୂଖ ଅଭିନୟ କରିଥିଲେ । ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଦୀର୍ଘ ଛଅଦିନ ବ୍ୟାପୀ ହେବାକୁ ଥିବା ଓଡିଶା ନାଟକ ସମାରୋହ ସମିତି ତରଫରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦ୍ଘାଟନୀ ଦିବସର ପ୍ରଥମ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ,ସୁନିଲ ସ୍ୱାଇଁ,ସରୋଜ ପଣ୍ଡା,ଆରତୀ ପାତ୍ର,ଜୟନ୍ତୀ ମିଶ୍ର,ଉମେଶ ଚୌଧୁରୀ, ରାମଚନ୍ଦ୍ର ସାସମଲ,ବିନାୟକ ହୋତା,ସୁବାସ ଚନ୍ଦ୍ର ସାହୁ ପ୍ରମୂଖ ସହଯୋଗ କରିଥିଲେ । କାର୍ତ୍ତିକ ପାଣିଗ୍ରାହୀ ଓ ରାମେଶ୍ୱରୀ ନନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ କୈଳାସ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।


